ରାଜଗାଙ୍ଗପୁର : ରାଜଗାଙ୍ଗପୁର ରେଳ ଓଭର ବ୍ରିଜ ପାଇଁ ଲୋକଙ୍କ ଠାରୁ ସିଧା ସଳଖ ଜମି କିଣାଯିବ।। ଜମି ଅଧିଗ୍ରହଣ ହେବ ନାହିଁ।
ରାଜଗାଙ୍ଗପୁର : ୧୭/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ ସିଧା ସଳଖ ଲୋକଙ୍କ ଠାରୁ ରାଜ୍ୟ ସରକାର ସିଧାସଳଖ ଜମି କିଣିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ମାସ ୧୧, ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମୀକ୍ଷା କରିବା ସହିତ ଲୋକଙ୍କ ଅଭିଯୋଗ ମଧ୍ୟ ଶୁଣିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମସ୍ୟା ସଂପର୍କରେ ସେ ଅବଗତ ହୋଇଥିଲେ।
ଏହା ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ରେଲୱେ ଓଭର ବ୍ରିଜ ପାଇଁ ଆବଶ୍ୟକ ଜମିକୁ ସିଧାସଳଖ ରାଜ୍ୟ ସରକାର କିଣିନେଇ ନିର୍ମାଣ କାମକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ। ଏହି ରେଳ ଓଭରବ୍ରିଜଟି ସୁନ୍ଦରଗଡ ଜିଲ୍ଲାର ସୋନାଖାନ୍ ଓ କାଂଶବାହାଲ ଷ୍ଟେସନ ମଧ୍ୟରେ ରାଜଗାଙ୍ଗପୁର ମୌଜାରେ ନିର୍ମାଣ କରାଯିବ।