ରାଜଗାଙ୍ଗପୁର : ବ୍ୟାଙ୍କ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ୩ ଆହତ।। ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଗଲା। ପୋଲିସ ତଦନ୍ତ ଜାରି।
ରାଜଗାଙ୍ଗପୁର : ୧୭/୮ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରରେ ଗୁରୁବାର ଦିନ ଏକ ଅଭାବନୀୟ ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ବ୍ୟାଙ୍କ ସୁରକ୍ଷା କର୍ମୀଙ୍କ ଗୁଳି ବାଜି ଏହି ୩ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଆହତ ମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ସୁରକ୍ଷା ଗାର୍ଡଙ୍କୁ ଅଟକ ରଖି ତଦନ୍ତ କରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଆଜି ରାଜଗାଙ୍ଗପୁର ଆଇ ସି ଆଇ ସି ଆଇ ବ୍ୟାଙ୍କରୁ ଟଙ୍କା ନେବାକୁ ବ୍ୟାଙ୍କ ଭ୍ୟାନ ଆସିଥିଲା। ଟଙ୍କା ନେବା ବେଳେ ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ହଠାତ ଗୁଳି ଫୁଟି ଯାଇଥିଲା। ଏହି ଦୁର୍ଘଟଣାରେ ବ୍ୟାଙ୍କ ବାରଣ୍ଡାରେ ଥିବା ୩ ଜଣ ଆହତ ହୋଇଥିଲେ। ଗୁରୁତର ଆହତଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଉଛି। ଏହି ଘଟଣାର ପୋଲିସ ତଦନ୍ତ ଜାରି ରହିଛି।