ମୟୁରଭଞ୍ଜ : ଛୁଆ ହାତୀର ଦଶାହ କର୍ମ କଲେ ଗ୍ରାମବାସୀ।। ଜ୍ଞାତି ଭୋଜନ ଦେବା ସହ ନଣ୍ଡା ହେଲେ ଗାଁ ଲୋକେ। ବିଶ୍ୱ ହସ୍ତୀ ଦିବସରେ ନିଆରା ଉଦାହରଣ
ମୟୁରଭଞ୍ଜ : ୧୩/୮ (ସତ୍ୟାନ୍ୟୁଜ) ଛୁଆ ହାତୀର ମୃତ୍ୟୁର ଦଶଦିନରେ ନଣ୍ଡା ହେଲେ ଗ୍ରାମବାସୀ। ଅସୁସ୍ଥ ଛୁଆ ହାତୀକୁ ମା ହାତୀ ଛାଡି ଚାଲିଗଲା। ଗାଁ ଲୋକ ଏବଂ ବନବିଭାଗ ଛୁଆ ହାତୀର ସେବା କରିବା ସହ ଚିକିତ୍ସା ମଧ୍ୟ କଲେ। ମାତ୍ର ଦୁଇଦିନ ପରେ ଛୁଆ ହାତୀଟି ମରିଗଲା। ଛୁଆ ହାତୀର ଦଶାହ କାର୍ଯ୍ୟ କରି ବିଶ୍ଵ ହସ୍ତୀ ଦିବସରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଜାମୁତି ଗ୍ରାମବାସୀ। ମଣିଷ ଏବଂ ହାତୀ ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ପ୍ରତି ବର୍ଷ ପାଳନ ହୋଇଥାଏ ବିଶ୍ବ ହସ୍ତୀ ଦିବସ । ତେବେ ହାତୀ ଏବଂମଣିଷ ଭିତରେ ଥିବା ନିବିଡ ସମ୍ପର୍କ ପାଇଁ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛି ଜାମୁତି ଗାଁ। ହାତୀ ମୃତ୍ୟୁର ଦଶାହରେ ଗାଁ ଲୋକେ ନଣ୍ଡା ହେବା ସହ ଜ୍ଞାତି ଭୋଜନ ମଧ୍ୟ କରାଇଥିଲେ। ଗ୍ରାମବାସୀ ମାନଙ୍କର ହାତୀ ପାଇଁ ଥିବା ଏହି ଦରଦ ନିଶ୍ଚିତ ଭାବେ ହାତୀ ଏବଂ ମଣିଷ ମଧ୍ୟରେ ସୁସମ୍ପର୍କ ରଖିବାର ଏକ ଭଲ ପ୍ରୟାସ।
ଓଡିଶା ଝାଡ଼ଖଣ୍ଡ ରାଜ୍ୟର ସୀମାନ୍ତ ରେ ରହିଛି ଜାମୁତି ଗାଁ। ତେବେ ଏହି ଗାଁ ଟି ଉପାନ୍ତ ଅଞ୍ଚଳ ହେଲେ ମଧ୍ୟ ହାତୀ
ଏବଂ ମଣିଷ ମଧ୍ୟରେ ପୂର୍ବ ପୁରୁଷ ଠାରୁ ରହିଛି ନିବିଡ଼ ସମ୍ପର୍କ ମୟୁରଭଞ୍ଜ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନ ଖଣ୍ଡକୁ କିଛି ଦିନ ପୂର୍ବରୁ ୨୩ ଟିକିଆ ହାତୀପଲ ଆସିଥିଲେ। କିଛି ଦିନ କରଞ୍ଜିଆ ବନ ଖଣ୍ଡରେ ରହିଲା ପରେ ଝାଡ଼ଖଣ୍ଡ ରାଜ୍ୟକୁ ଯିବା ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଲକର ବୈଦ୍ୟନାଥ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାମୁତି ଗାଁ ନିକଟରେ ୩ ମାସର ଅସୁସ୍ଥ ହାତୀ ଛୁଆକୁ ଛାଡି ଚାଲିଯାଇଥିଲେ। ତେବେ ଚଳିତ ମାସ ୧ ତାରିଖରେ ଅସୁସ୍ଥ ହାତୀଛୁଆକୁ ସୁସ୍ଥ କରିବା ପାଇଁ ପ୍ରାଣୀ ଚିକିତ୍ସିକ ଏବଂ ବନବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ବି ହାତୀଛୁଆକୁ ବଞ୍ଚାଇବା ସମ୍ଭବ ହୋଇ ନ ଥିଲା। ଶେଷରେ ୨ ତାରିଖରେ ସକାଳୁ ହାତୀ ଛୁଆଟିର ଜୀବନ ଚାଲି ଯାଇଥିଲା। ହାତୀ ମୃତ୍ୟୁ ଖବର ଗାଁ ଲୋକ ମାନେ ଜାଣିବା ପରେ ଜାମୁତି ଗ୍ରାମରେ ଶୋକ ର ଛାୟା ଖେଳିଯାଇଥିଲା। ଏଠାରେ ହାତୀକୁ ଲକ୍ଷ୍ମୀ ଭାବେ
ପୂଜା କରନ୍ତି ଗାଁ ଲୋକେ । ଗାଁର ପାରମ୍ପରିକ ରୀତିନୀତି ଅନୁଯାୟୀ, ହାତୀ ଛୁଆ ର ଶବ ସତ୍କାର କରାଯାଇଥିଲା। ଶୁକ୍ରବାର ହାତୀ ଛୁଆର ଦଶାହ ପାଳନ କରିଛନ୍ତି ଗ୍ରାମବାସୀ। ମୃତ ହାତୀ ଛୁଆର ସଦ୍ଗତି ପାଇଁ ଶୁକ୍ରବାର ପୂର୍ବାହ୍ନ ଘଟିକା ସମୟରେ ଗାଁର ଅନେକ ଲୋକମାନେ ଛୁଟି ପକାଇ ମୁଣ୍ଡନ ହୋଇ ତିଳତର୍ପଣ କରିଥିଲେ । ଏବଂ ଅପରାହ୍ନ ସମୟରେ
ଜ୍ଞାତିଭୋଜନ କରାଇଥିଲେ।