ମୟୁରଭଞ୍ଜ : ୧/୮ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଶିମିଳିପାଳ ଜଙ୍ଗଲ ସୁରକ୍ଷା ଅଭିଯାନ ପରିପ୍ରେକ୍ଷୀରେ ୧୮ଟି ବନ୍ଧୁକ ଏବଂ ଗୋଟିଏ ପିସ୍ତଲ ଆଜି ଜମା କରାଯାଇଛି। ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ଦାୟିତ୍ୱରେ ଥିବା ଦୁଇ ଜଣ ବନ କର୍ମଚାରୀ ଶିକାରୀ ଗୁଳିରେ ପ୍ରାଣ ହରାଇବା ପରେ ପ୍ରଶାସନ ଏବଂ ବନ ବିଭାଗ ପକ୍ଷରୁ କଡା ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା। ନିୟମିତ ଭାବେ ବନବିଭାଗର ଓ ପୁଲିସର ମିଳିତ ସହଯୋଗରେ ଶିମିଳିପାଳ ଅଭୟାରଣ୍ୟ ଓ ତାର ପାଦଦେଶରେ ଖାନତଲାସୀକୁ ଏବେ ଜୋରଦାର କରା ଯାଉଛି । ଏଥି ପାଇଁ ଶିମିଳିପାଳ ଅଭୟାରଣ୍ୟରେ ୩ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି। ଦେଶୀ ବନ୍ଧୁକ ସହିତ ବନ୍ଧୁକ କାରଖାନା ଠାବ କରାଯାଇ କିଛି ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଶିମିଳିପାଳ ଏବଂ ଶିମିଳିପାଳ ପାଦ ଦେଶରେ ଅନେକ ଦେଶୀ ବନ୍ଧୁକ ଥିବାର ଅନୁମାନ କରୁଛି ପ୍ରଶାସନ । ମୟୁରଭଞ୍ଜ ବନବିଭାଗ ଏବଂ ମୟୁରଭଞ୍ଜ ପୋଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହେଇଥିଲା ଦେଶୀ ବନ୍ଧୁକ ସମର୍ପଣ ଅଭିଯାନ । ଏହା ୧୮ ତାରିଖ ରୁ ଆରମ୍ଭ ହେଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଶିମିଳିପାଳ ଏବଂ ଶିମିଳିପାଳ ପାଦ ଦେଶର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ୩୧ ତାରିଖ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଯିବ ବୋଲି ମୟୁରଭଞ୍ଜ ଏସ ପି ଚେତାବନୀ ଦେଇଥିଲେ । ଆଜି ଦେଶୀ ବନ୍ଧୁକ ସମର୍ପଣ ଅଭିଯାନର ଶେଷ ତାରିଖ ଥିଲା। ଶେଷ ଦିନରେ ୧୮ଟି ବନ୍ଧୁକ ଏବଂ ଗୋଟିଏ ପିସ୍ତଲ ଜମା କରାଯାଇଛି।
ଠାକୁରମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରୁ ଗୋଟିଏ ଦେଶୀ ପିସ୍ତଲ ସହିତ ୧୭ଟି ବନ୍ଧୁକ ସମର୍ପଣ ହୋଇଥିବା ବେଳେ କରଞ୍ଜିଆ ବ୍ଲକରୁ ଗୋଟିଏ ବନ୍ଧୁକ ସମର୍ପଣ ହୋଇଛି । ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମ ପଞ୍ଚାୟତ ସରପଞ୍ଚ ବିକ୍ରମ ପିଙ୍ଗୁଆ, ତାଙ୍କ ସହଯୋଗୀ ୱାର୍ଡ ମେମ୍ବର ମାନଙ୍କ ଏବଂ ଫରେଷ୍ଟର କିଶୋର କୁମାର ମହାନ୍ତ ଙ୍କ ସହଯୋଗ ରେ ୧୧ ଗୋଟି ଦେଶୀ ବନ୍ଧୁକ ଓ ଗୋଟିଏ ଦେଶୀ ପିସ୍ତଲ , ସେହି ଭଳି ଠାକୁରମୁଣ୍ଡା ବ୍ଲକ ଭାଲିଆ ଡାଳ ସରପଞ୍ଚଙ୍କ ଉଦ୍ୟମ ରେ ଚାରୋଟି ଦେଶୀ ବନ୍ଧୁକ, କେଶଡିହା ସରପଞ୍ଚ ଙ୍କ ବିଧ ଉଦ୍ୟମ ରେ ଦୁଇଟି ଦେଶୀ ବନ୍ଧୁକ ଏବଂ କରଞ୍ଜିଆ ବ୍ଲକ ପାଟବିଲ ପଞ୍ଚାୟତରୁ ଗୋଟିଏ ଦେଶୀ ବନ୍ଧୁକ ସମର୍ପଣ ହୋଇଛି । ସରପଞ୍ଚ ମାନଙ୍କ ତତ୍ପରତା ପାଇଁ ଏତେ ପରିମାଣରେ ଚୋରା ଦେଶୀ ବନ୍ଧୁକ ଉଦ୍ଧାର ହୋଇଥିବାରୁ ସାଧାରଣରେ କୃତଜ୍ଞତା ପ୍ରକାଶ ପାଇଛି । ସମର୍ପଣ ସମୟରେ ଏସଡ଼ିପିଓ ସୁବ୍ରତ କୁମାର, ଡ଼ିଏଫଓ ଶ୍ରୀକାନ୍ତ ନାଏକ, ଏସିଏଫ ଫାଲଗୁନିବେହେରା ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ ସାତକୋଶିଆ ବନ୍ୟପ୍ରାଣୀ ବିଭାଗର ରେଞ୍ଜର ପଦ୍ମଲୋଚନ ନନ୍ଦ ଏବଂ ବନବିଭାଗ ର କର୍ମଚାରୀ ପ୍ରମୁଖ ଯୋଗଦେଇଥିଲେ ।ଏହି ବନ୍ଧୁକ ସମର୍ପଣ କାର୍ଯ୍ୟକ୍ରମ ଆଗାମୀ ଦିନରେ ଶିମିଳିପାଳ ଅଭୟାରଣ୍ୟକୁ ସୁରକ୍ଷା ଦେବ ବଲି କୁହାଯାଉଛି |