ରାଉରକେଲା : ବସ୍ତିକୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ।। ସାପ କାମୁଡ଼ାରେ ଆହତ ବୃଦ୍ଧାଙ୍କୁ ଷ୍ଟ୍ରେଚରରେ ବୁହାଗଲା।

0 480

ରାଉରକେଲା : ୩୦/୪ (ସତ୍ୟାନ୍ୟୁଜ) ରାଉରକେଲା ନିକଟ ଲାଠିକଟା ବ୍ଲକର ଏକ ବସ୍ତିରେ ରାସ୍ତା ନଥିବାରୁ ବସ୍ତି ଭିତରକୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଫଳରେ ସାପ କାମୁଡ଼ାରେ ଗୁରୁତର ବୃଦ୍ଧାଙ୍କୁ ଷ୍ଟ୍ରେଚରରେ ପ୍ରାୟ ୧ କିଲୋମିଟର ନେବାକୁ ପଡିଥିଲା। ପରେ ଆମ୍ବୁଲାନ୍ସ ଯୋଗେ ବୃଦ୍ଧାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ଏମିତି ଅଭାବନୀୟ ଘଟଣା ଘଟିଛି ଲାଠିକଟା ବ୍ଲକ୍‌ ଅନ୍ତର୍ଗତ ବାଲିଯୋଡ଼ି ନିକଟସ୍ଥ ବସ୍ତିରେ। ଗୁରୁତର ବୃଦ୍ଧା ଜଣକ ହେଲେ ଚାରି ତିର୍କୀ (୬୫)।
ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଦିନ ଚାରି ତିର୍କୀ ପରିବାର ସହ ଖାଇପିଇ ଶୋଇଥିଲେ। ବିଳମ୍ବିତ ରାତିରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ସକାଳେ ପରିବାର ଲୋକ ଚାରିଙ୍କ ଏପରି ଅବସ୍ଥା ଦେଖି ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଖବର ପାଇ ୧୦୮ ଆମ୍ବୁଲାନ୍ସର କର୍ମଚାରୀ ମାନେ ଚାରିଙ୍କୁ ଆଣିବାକୁ ବସ୍ତି ଯାଇଥିଲେ । ହେଲେ ବସ୍ତିକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆଗକୁ ଯାଇ ପାରିଲା ନାହିଁ। ଚକା ଆଗକୁ ଯାଇ ନପାରିବାରୁ କର୍ମଚାରୀ ମାନେ ୧ କି.ମି. ଦୂରରୁ ଆମ୍ବୁଲାନ୍ସକୁ ରଖିଦେଇଥଲେ। ବୃଦ୍ଧାକୁ ଷ୍ଟ୍ରେଚରରେ ‌ଶୁଆଇ ଗୋଟିଏ କିଲୋମିଟର ଚାଲି ଚାଲି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ କର୍ମଚାରୀ ମାନେ।

Leave A Reply

Your email address will not be published.