ଦେବଗଡ଼/ମୟୁରଭଞ୍ଜ : ରାଜ୍ୟରେ ସର୍ପଘାତରେ ଦୁଇ ଭାଇଙ୍କ ସମେତ ୩ ଜଣଙ୍କ ମୃତ୍ୟୁ।। ଜଣେ ମହିଳା ଗୁରୁତର।।

0 366

ଦେବଗଡ଼/ମୟୁରଭଞ୍ଜ : ୨୫/୭ (ସତ୍ୟାନ୍ୟୁଜ) ରାଜ୍ୟରେ ସର୍ପଘାତରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ବଢି ବଢି ଚାଲିଛି। ଦୁଇଦିନ ତଳେ କେନ୍ଦୁଝର ଜିଲ୍ଲାରେ ସର୍ପଘାତରେ ୩ ଜଣ ଛାତ୍ରଛାତ୍ରୀ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ବେଳେ ଗତକାଲି ରାତିରେ ଦେବଗଡ଼ ଏବଂ ମୟୁରଭଞ୍ଜ ଜିଲ୍ଲାର ୩ ଜଣଙ୍କ ମୃତ୍ୟୁ ହୋଇଛି। ସାପ କାମୁଡ଼ାରେ ଜଣେ ମହିଳା ମଧ୍ୟ ଗୁରୁତର ଅଛନ୍ତି। ଦେବଗଡ଼ ଜିଲ୍ଲାରେ ଚିତି ସାପ କାମୁଡି ଦେବାରୁ ଦୁଇଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ମୟୁରଭଞ୍ଜ ଜିଲାରେ ବିଷାକ୍ତ ସାପ କାମୁଡି ଦେବାରୁ ଜଣେ ଶିଶୁର ମୃତ୍ୟୁ ହୋଇଛି। ରାଜ୍ୟରେ ବର୍ଷା ଲାଗି ରହିବା ଯୋଗୁ ସାପଙ୍କ ଗତିବିଧି ରେ ବୃଦ୍ଧି ଘଟିଛି। ଗାତରେ ପାଣି ପଶିଯିବା ଯୋଗୁ ସାପମାନେ ଗର୍ତ୍ତରୁ ବାହାରି ଆସୁଛନ୍ତି।
ସୂଚନା ମୁତାବକ ଦେବଗଡ଼ ପୌରାଞ୍ଚଳ ଜାଙ୍ଗଲୀକୁଦର ସାହିରେ ଚିତି ସାପ କାମୁଡ଼ି ଦେବାରୁ ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଜାଙ୍ଗଲୀକୁଦର ସାହିର ସର୍ବେଶ୍ୱର ଦେହୁରୀଙ୍କ ୧୪ ବର୍ଷର ପୁଅ ଗୌରାଙ୍ଗ ଏବଂ ୮ ବର୍ଷର ପୁଅ ସୌଭାଗ୍ୟ।
ଗତକାଲି ଦୁଇ ଭାଇ ଗୌରାଙ୍ଗ ଓ ସୌଭାଗ୍ୟ ଘର ଭିତରେ ଚଟାଣରେ ଶୋଇଥିଲେ। ଭୋର ସମୟରେ ଦୁଇ ଭାଇଙ୍କୁ ଏକ ବିଷାକ୍ତ ଚିତି ସାପ କାମୁଡି ଦେଇଥିଲା। ପରିବାର ଲୋକ ଜାଣିବା ପରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଛି। ଦୁଇ ପୁଅଙ୍କୁ ହରାଇ ପରିବାର ଲୋକ ଭାଙ୍ଗି ପଡିଥିବା ବେଳସ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ସେହିପରି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ କଟୁରିଆ ଗ୍ରାମରେ ସାପ କାମୁଡାରେ ଦେଢ ବର୍ଷ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଅଛନ୍ତି।
କଟୁରିଆ ଗ୍ରାମର ମିନତୀ ମହାକୁଡ ନିଜର ଦେଢ ବର୍ଷର ଶିଶୁପୁତ୍ରକୁ ଧରି ଗତକାଲି ରାତିରେ ଘରେ ଶୋଇଥିଲେ। ହେଲେ ହଠାତ୍ ବିଳମ୍ବିତ ରାତିରେ ଏକ ବିଷାକ୍ତ ଚିତି ସାପ ଆସି ଉଭୟ ମା ଏବଂ ପୁଅକୁ କାମୁଡ଼ି ଦେଇଥିଲା। ପରିବାର ଲୋକେ ଏହା ଜାଣି ଆଜି ସକାଳ ସମୟରେ ଉଭୟ ମା ଏବଂ ପୁଅକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେଢ ବର୍ଷ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ମାଆ ମିନତିଙ୍କ ଅବସ୍ଥା ଗୁରୁତର ରହିଛି।

Leave A Reply

Your email address will not be published.