ହିନ୍ଦୋଳରେ ହାତୀଙ୍କ ଆତଙ୍କ ଜାରି: ହାତୀ ଆକ୍ରମଣରେ ପୁଣି ଦୁଇ ଜଣ ଗୁରୁତର । ହସ୍ପିଟାଲରେ ଭର୍ତ୍ତି।
ଢେଙ୍କାନାଳ:୨୭/୭(ସତ୍ୟାନ୍ୟୁଜ) ହିନ୍ଦୋଳ ବନାଞ୍ଚଳରେ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ପୁଣି ଦୁଇଟି ପୃଥକ ଘଟଣାରେ ବଣୁଆ ହାତୀ ଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି।
ପ୍ରଥମ ଘଟଣା ଦଣ୍ଡିରି ଫରେଷ୍ଟ ସେକ୍ସନ ଅଧୀନ ଦଣ୍ଡିରି ଗ୍ରାମରେ ଘଟିଛି। ଗ୍ରାମ ନିକଟରେ ବୁଲୁଥିବା ବେଳେ ଜଣେ ବୃଦ୍ଧାଙ୍କୁ ହଠାତ୍ ଏକ ବନ୍ୟ ହାତୀ ଆକ୍ରମଣ କରିଥିଲା। ସୌଭାଗ୍ୟବଶତଃ ହାତୀଟି ପୁନର୍ବାର ଆକ୍ରମଣ ନ କରି ଚାଲିଯିବାରୁ ସେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବୃଦ୍ଧାଙ୍କ ବାମ ଗୋଡ଼ର ହାଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି।
ସେହିପରି ଦ୍ୱିତୀୟ ଘଟଣା କର୍ଣ୍ଣପୁର ଫରେଷ୍ଟ ବିଟ୍ ଅଧୀନ ବଲସର ଗ୍ରାମରେ ଘଟିଛି। ଗ୍ରାମର ଗୋପ ଭୋଇ (୫୦) ସକାଳ ପ୍ରାୟ ୭ଟା ବେଳେ ଘର ପଛକୁ ଯାଇଥିବା ସମୟରେ ପୂର୍ବରୁ ଲୁଚି ରହିଥିବା ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ ସେ ତଳେ ପଡ଼ିଯାଇଥିଲେ। ପ୍ରାଣ ବଞ୍ଚାଇବା ପାଇଁ ସେ ଘୋଷୁଡ଼ି ନିକଟସ୍ଥ ଗୁହାଳ ଘରେ ପଶିଯାଇ ଚିତ୍କାର କରିଥିଲେ। ପରିବାର ଲୋକ ପହଞ୍ଚିଯିବାରୁ ହାତୀଟି ସେଠାରୁ ପଳାଇଯାଇଥିଲା। ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ତାଙ୍କ ଅଣ୍ଟା ଓ ହାତରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି।
ହିନ୍ଦୋଳ ବନାଞ୍ଚଳ ଅଧିକାରୀ ତ୍ରିଲୋଚନ ଦେହୁରୀ ହସ୍ପିଟାଲରେ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।
ଅଞ୍ଚଳରେ ହାତୀ ଆକ୍ରମଣ ଘଟଣା ବାରମ୍ବାର ଘଟୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଘରୁ ବାହାରିବାକୁ ମଧ୍ୟ ଲୋକେ ଭୟ କରୁଥିବା ବେଳେ ବନ ବିଭାଗ ତୁରନ୍ତ ପଦକ୍ଷେପ ନେଇ ଜନଜୀବନ ଓ ସମ୍ପତ୍ତିର ସୁରକ୍ଷା ସୁନିଶ୍ଚିତ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।
ରିପୋର୍ଟ: ସନ୍ତୋଷ କୁମାର ମହାପାତ୍ର, ଢେଙ୍କାନାଳ