ସମ୍ବଲପୁର : ହୀରାକୁଦ ଡ୍ୟାମର ୫ଟିସ୍ଲୁଇସ୍ ଗେଟ ଖୋଲା ଗଲା।। ନିଷ୍କାସିତ ହେଉଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ।। ତଳିଆ ଅଞ୍ଚଳରେ ସତର୍କ ରହିବାକୁ ସୂଚନା।
ସମ୍ବଲପୁର : ୨୩/୭ (ସତ୍ୟାନ୍ୟୁଜ) ହୀରାକୁଦ ଡ୍ୟାମର ଆଜି ୫ଟି ଗେଟ ଖୋଲାଯାଇଛି। ବର୍ଷର ପ୍ରଥମ ବନ୍ୟାଜଳ ଆଜି ଡ୍ୟାମ ଗେଟ ଦେଇ ଛଡ଼ାଯାଇଛି। ପୂର୍ବ ଘୋଷଣା ଅନୁଯାୟୀ ରବିବାର ସକାଳ ୯ଟାରେ ଖୋଲାଯାଇଥିଲା ହୀରାକୁଦ ଡ୍ୟାମ୍ର ପ୍ରଥମ ଗେଟ୍। ଏହା ସହିତ ନିଷ୍କାସିତ ହୋଇଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ।
ପୂଜାର୍ଚ୍ଚନା ପରେ ସକାଳ ୯ଟାରେ ହୀରାକୁଦ ଡ୍ୟାମ୍ର ଗୋଟିଏ ଗେଟ୍ ଖୋଲାଯାଇଥିଲା। ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ୍ ଖୋଲାଯାଇଛି।
ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଏବେ ଏହାର ଜଳପତ୍ତନ ୬୧୪.୮୭ ଫୁଟ ରହିଛି। ଜୁଲାଇ ୩୧ ତାରିଖ ସୁଦ୍ଧା ଜଳଭଣ୍ଡାରର ଜଳପତ୍ତନ ୬୦୫ ଫୁଟ୍ ରଖିବାକୁ ନିଷ୍ପତ୍ତି ହୋଇଛି।
ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରୁ ତିନି ଦିନ ତଳେ ଗେଟ୍ ଖୋଲିବାକୁ ଡ୍ୟାମ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଏନେଇ ଆବଶ୍ୟକ ପ୍ରସ୍ତୁତ କରାଯାଇଥିଲା। ଗେଟ୍ ଖୋଲିବା ନେଇ ହୀରାକୁଦ ଡ୍ୟାମ ତଳମୁଣ୍ଡରେ ରହୁଥିବା ଲୋକଙ୍କୁ ଅବଗତ କରାଯାଇଥିଲା। ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ମାଇକ ଯୋଗେ ପ୍ରଚାର କରାଯାଇଥିଲା। ଗେଟ୍ ଖୋଲାଯାଉଥିବାରୁ ତଳମୁଣ୍ଡରେ ମହାନଦୀ ତଥା ଏହାର ଶାଖା ନଦୀଗୁଡ଼ିକୁ ପ୍ରବେଶ ନ କରିବାକୁ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଲୋକଙ୍କୁ ସତର୍କ କରାଇ ଦେଇଛନ୍ତି।