ରାଉରକେଲା/କୋଇଡା : ଅର୍ଥ ଅଭାବରୁ ମିଳିଲା ନାହିଁ ଆମ୍ବୁଲାନ୍ସ।। କଟକ ବଡ ଡାକ୍ତରଖାନାରେ ରାତିସାରା ପଡି ରହିଥିଲା ଶବ।। ସାହାଯ୍ୟ ପାଇଁ ଆଗେଇ ଆସିଲେ କୋଇଡା ସାମ୍ବାଦିକ ସଙ୍ଘ।
କୋଇଡା : ୨୩/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୋଇଡା ଅଞ୍ଚଳରେ ସ୍ଵାସ୍ଥ୍ୟ ଏବଂ ଚିକିତ୍ସା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି। କୋଇଡା ବ୍ଲକ୍ ମାଲଦା ପଞ୍ଚାୟତ ଗଣୁଆଁ ପଟବେଡା ଗ୍ରାମରେ ଝାଟିମାଟି ଘରେ ରହନ୍ତି ସ୍ୱାମୀ ସାରା ମୁଣ୍ଡା ଙ୍କ ସହ ୩୩ ବର୍ଷୀୟା ସ୍ତ୍ରୀ ବୁବେଇ ମୁଣ୍ଡା । ଯାହାଙ୍କ ମୃତ୍ୟୁ ପରେ ଆଜି ସାରା ଗାଁ କାନ୍ଦ ବୋବାଳିରେ ଫାଟି ପଡୁଛି ।
ସୁଚନା ଅନୁଯାୟୀ ବୁବେଇ ବିବାହ ପରେ ଦୁଇ ଥର ଗର୍ଭବତୀ ହୋଇ ସିଜରିଆନ୍ ଜରିଆରେ ଶିଶୁ ଜନ୍ମ କରିଥିଲେ। ହେଲେ ଦୁଇ ଜଣ ଯାକ ଶିଶୁ ଜନ୍ମ ପରେ ମୃତ୍ୟୁ ବରଣ କରିଥିଲେ । ବହୁ ବର୍ଷ ପରେ ସେ ପୁଣି ଗର୍ଭବତୀ ହୋଇଥିଲେ । ହେଲେ ଗତକାଲି ଶୁକ୍ରବାର ଦିନ ହଠାତ୍ ରକ୍ତ ସ୍ରାବ ହେବାରୁ ତାଙ୍କୁ ସ୍ଥାନୀୟ ଆଶା ଦିଦି କେଶବତୀ ପାତ୍ର , ସମାଜସେବୀ ବାଦଲ ବାରିକ ସହାୟତାରେ ଗୋଟିଏ ଗାଡି ସାହାଯ୍ୟରେ କେନ୍ଦୁଝର ଜିଲ୍ଲା ହସପିଟାଲ କୁ ନେଇଥିଲେ । ସେଠାରେ ରକ୍ତ ଦିଆ କରାଇ ତାଙ୍କୁ କଟକ
ଏସ୍ ସି ବି ମେଡିକାଲ୍ ପଠାଇ ଥିଲେ । ସେଠାରେ ଅସ୍ତ୍ରୋପଚାର କରି ଶିଶୁ ବାହାର କଲା ବେଳକୁ ଶିଶୁ ଓ ମାଆ ବୁବେଇ ଙ୍କ ମୃତ୍ୟୁ ଘଟିଥିଲା । ରାତି ସାରା ଶବ ସେମିତି ପଡି ରହିଥାଏ ।ସାଥୀରେ ଯାଇଥିବା ଆଶା ଦିଦି ସେଠାରେ ଅଧିକାରୀଙ୍କୁ ଗୁହାରି କରିଥିଲେ ଆମ୍ବୁଲାନ୍ସ ପାଇଁ । ହେଲେ କୌଣସି ଆମ୍ବୁଲାନ୍ସ ମିଳି ନ ଥିଲା । ବେସରକାରୀ ଆମ୍ବୁଲାନ୍ସ ୯ ରୁ ୧୦ ହଜାର ଟଙ୍କା ଲାଗିଯିବ କହିଥିଲେ। ହେଲେ ଦିଦିଙ୍କ ପାଖରେ ବି ସେତିକି ଟଙ୍କା ନ ଥାଏ । ସକାଳୁ କେନ୍ଦୁଝରର ସମାଜସେବୀ ସଞ୍ଜୀବ ସାହୁ ଖବର ପାଇ କୋଇଡା ସାମ୍ବାଦିକ ସଂଘ କୁ ଯୋଗାଯୋଗ କରିଥିଲେ। ବୁବେଇଙ୍କ ମୃତ ଶରୀର କିପରି ଗ୍ରାମରେ ପହଞ୍ଚି ପାରିବ ସେ ବିଷୟରେ ଆଲୋଚନା କରିଥିଲେ। ସଙ୍ଗେ ସଙ୍ଗେ କୋଇଡା ସାମ୍ବାଦିକ ସଂଘ ( କେୟୁଜେ ) ସମସ୍ତ ଆମ୍ବୁଲାନ୍ସ ସୁବିଧା କରିବା ସହ ଶେଷ କୃତ୍ୟ ପାଇଁ ସମସ୍ତ ବ୍ୟବସ୍ଥା କରି ବୁବେଇଙ୍କ ଘରେ ପହଞ୍ଚିଥିଲେ। ପ୍ରବଳ ବର୍ଷା ସତ୍ତ୍ଵେ ସଂଘର ସଭାପତି ସଞ୍ଜୀବ ମହାପାତ୍ର, ସମ୍ପାଦକ ଅବିନାଶ ଶର୍ମା, ଉପ ସଭାପତି ସମୀର ପାଢୀ, କୋଷାଧ୍ୟକ୍ଷ ସୁଶାନ୍ତ ଦାଶ , ଯୁଗ୍ମ ସମ୍ପାଦକ ପ୍ରମିଳା ନାୟକ , ରାକେଶ ମହାନ୍ତି, ସୁଦାମ ବାରିକ , ଆକାଶ ଶର୍ମା ,ଗଣେଶ ଆପଟ, ଦିଲିପ ମହାକୁଡ , ସରୋଜ ମାହାନା ପ୍ରମୁଖ ସଦସ୍ୟ ଶବ ପହଞ୍ଚିବା ପରେ ଶେଷ କୃତ୍ୟ ସମ୍ପନ୍ନ କରି ଫେରିଥିଲେ । ଶବ ଯେତେବେଳେ ଗାଁରେ ପହଞ୍ଚିଲା ବୁବେଇ ଙ୍କ ମୃତ୍ୟୁରେ ସମଗ୍ର ଗ୍ରାମ କାନ୍ଦ ବୋବାଳିରେ ଫାଟି ପଡୁଥାଏ ।
କୋଇଡା ଅଞ୍ଚଳରୁ ବିପୁଳ ପରିମାଣର ରାଜସ୍ଵ ସରକାର ପାଇବା ସହିତ ଜିଲ୍ଲା ଖଣିଜ ପାଣ୍ଠି ଦ୍ୱାରା ବିକାଶର ଚିତ୍ର କାନ୍ଥ ବାଡ ଓ ରଙ୍ଗିନ୍ ପୋଷ୍ଟର ରେ ଦେଖାଉଛନ୍ତି । ହେଲେ ବାସ୍ତବତାର ଚିତ୍ର ସମ୍ପୁର୍ଣ୍ଣ ଭିନ୍ନ । ଆଦିବାସୀ ଅଧ୍ୟୁଷିତ ଖଣି ଅଞ୍ଚଳରେ ଚିକିତ୍ସା ପାଇଁ ଥିବା କୋଇଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ବହୁଦିନ ଧରି ନାହାନ୍ତି ସ୍ତ୍ରୀ ରୋଗ ବିଶେଷଜ୍ଞ । ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ନାହିଁ କି ରକ୍ତ ଭଣ୍ଡାର ମଧ୍ୟ ନାହିଁ । ମାତୃଜ୍ୟୋତି ଯୋଜନା ପାଇଁ ମଧ୍ୟ କୋଇଡା ଅଞ୍ଚଳବାସୀ ଅନ୍ୟ ଜିଲ୍ଲା ଉପରେ ନିର୍ଭର । ଟଙ୍କା ଅଭାବରୁ କଟକ ବଡ ମେଡିକାଲ ରେ ପଡି ରହୁଛି ଶବ ହେଲେ ଫେରିବାକୁ ମିଳୁନି ଆମ୍ବୁଲାନ୍ସ କିମ୍ବା ଅର୍ଥ । ହେଲେ ଏ ରାଜସ୍ୱ ଟଙ୍କା କାହା ସ୍ଵାର୍ଥରେ ଲାଗୁଛି ତାହା ସବୁଠାରୁ ଏବେ ସବୁଠାରୁ ବଡ ପ୍ରଶ୍ନ। ତେବେ ଏହି ସମୟରେ କୋଇଡା ସାମ୍ବାଦିକ ସଂଘର କଟକରୁ ବୁବେଇ ମୁଣ୍ଡାଙ୍କ ମୃତ ଶରୀର ଆଣିବାର ପ୍ରଚେଷ୍ଟା ନିଶ୍ଚିତ ଧନ୍ୟବାଦ ଏବଂ ସ୍ୱାଗତ ଯୋଗ୍ୟ ପଦକ୍ଷେପ ।