କୋଇଡା : ୨୩/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଫରେଷ୍ଟ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ ଜାରି ରହିଛି। ଶନିବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ କନ୍ତରକୋଇଡ଼ା ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଆରତି ମୁଣ୍ଡା।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏକ ହାତୀପଲ୍ଲ କନ୍ତରକୋଇଡ଼ା ଗାଁକୁ ଆସିଥିଲେ। ସେମାନେ ପ୍ରଥମେ ଗାଁରେ ପଶି କେତେକ ଘର ଭାଙ୍ଗିବା ସହ ଚାଉଳ ଖାଇ ଯାଇଥିଲେ।
ହାତୀପଲ୍ଲ ଗାଁ କୁ ପଶି ଆସିଥିବା ଖବର ଶୁଣି ଭୟଭୀତ ଆରତି ଘରୁ ବାହାରି ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିଲେ। କିନ୍ତୁ ହାତୀପଲ୍ଲ ହାବୁଡ଼ରେ ପଡ଼ି ଯାଇଥିଲେ। ଏହି ସମୟରେ ଗୋଟିଏ ହାତୀ ତାଙ୍କୁ ଶୁଣ୍ଢ ରେ ଟେକି କଚାଡି ଦେଇଥିଲା।
ଗୁରୁତର ଅବସ୍ଥାରେ ଅରତୀଙ୍କୁ ଚିକିତ୍ସା ଲାଗି କୋଇଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀ ଘଉଡ଼ାଇବା ଲାଗି ଉଦ୍ୟମ ଜାରି ରଖିଛନ୍ତି।
ଏହି ହାତୀପଲ୍ଲରେ ୫ଟି ହାତୀ ଥିବା ଜଣା ପଡ଼ିଛି। ଆରତୀଙ୍କୁ ଆକ୍ରମଣ କରିବା ପରେ ହାତୀପଲ୍ଲ ପାଖ ଗାଁରେ ପଶି କିଛି ଘର ଭାଙ୍ଗି ଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟଯେ କୋଇଡା ଅଞ୍ଚଳ ସମେତ ସମଗ୍ର ବଣାଇ ବନଖଣ୍ଡରେ ହାତୀ ଉପଦ୍ରବ ଗତ କିଛି ଦିନ ହେଲା ଲାଗି ରହିଛି।