ମୟୁରଭଞ୍ଜ : କୁକୁଡ଼ା ଭାଡ଼ିରେ ପଶି ନିୟମିତ ଅଣ୍ଡା ଗିଳି ଯାଉଥିଲା ଏକ ନାଗ ସାପ।। ଗ୍ରାମବାସୀଙ୍କ ହାତରେ ଧରାପଡି ଓଗାଳିଲା ୪ଟି ଅଣ୍ଡା।
ମୟୁରଭଞ୍ଜ : ୨୦/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ନାଗସାପ ପେଟରୁ ବାହାରିଲା ଅଣ୍ଡା। ଗୋଟିଏ ପରେ ଗୋଟିଏ ଚାରୋଟି ଅଣ୍ଡା ବାନ୍ତି କଲା ନଗରାଜ। ଏପରି ଦୃଶ୍ୟ ମୟୁରଭଞ୍ଜ ଜିଲ୍ଲା ଉଦଳା ବନାଞ୍ଚଳ ଦେଖିବାକୁ ମିଳିଛି।
ଘଟଣାଟି ଏହିପରି। ଲୋକଙ୍କ କୁକୁଡ଼ା ଭାଡ଼ିରୁ ଲଗାତାର ଚୋରି ହେଉଥିଲା ଅଣ୍ଡା। ଯାହାକୁନେଇ ଗ୍ରାମବାସୀ ମାନେ ଚିନ୍ତାରେ ଥିଲେ। ବିଳମ୍ବରେ ହେଲେ ମଧ୍ୟ ଧରାପଡ଼ିଲା ଅଣ୍ଡାଚୋର। ସେ ଆଉ କେହି ନୁହଁ ଖୋଦ ନାଗରାଜ। ଲୁଚିଛପି ଆସୁଥିଲେ। କୁକୁଡ଼ା ଭାଡ଼ି ଭିତରେ ପଶି ଅଣ୍ଡା ଖାଇ ପୁଣି ନିର୍ଭୟରେ ଫେରି ଯାଉଥିଲେ। ସବୁଦିନ ଭଳି ଲୁଚିଛପି ଅଣ୍ଡା ଖାଇବାକୁ ଆସି ଭାଡ଼ି ଭିତରେ ପଶିବା ପରେ ପରିବାର ସହ ସାହି ପଡ଼ିଶାଙ୍କ ନଜରକୁ ଆସିଥିଲା ବିରାଟକାୟ ନାଗସାପ। ଯାହାକୁ ଦେଖି ଲୋକେ ଛାନିଆ ହୋଇ ଯାଇଥିଲେ। ଉଦଳା ବନାଞ୍ଚଳ ଅଧୀନ ରାଇଦାଣ୍ଡିଆ ଗ୍ରାମରେ ଗ୍ରାମର ଧରଣୀ ମଲ୍ଲିକଙ୍କ କୁକୁଡା ଭାଡ଼ିରେ ପଶିଥିଲା ଏହି ନାଗ ସାପ। ପରେ ଏନେଇ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ଖବର ଦିଆଯାଇଥିଲା। ସ୍ନେକ ଲାଇଫ୍ ଲାଇନ ସଦସ୍ୟ ଅଭିନନ୍ଦନ ଦଣ୍ଡପାଟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ପରେ ସାପଟି ଗିଳିଥିବା କୁକୁଡା ଅଣ୍ଡା ଓଗାଳିଥିଲା । ସାପଟି ଗିଳିଥିବା ଚାରଟି କୁକୁଡା ଅଣ୍ଡା ଓଗାଳିବା ପରେ ନିଜକୁ ସହଜ ଅନୁଭବ କରି ଖେଳି ଥିଲା। ଅକ୍ଷତ ଅବସ୍ଥାରେ ସାପଟିକୁ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡିଛି।