ରାଉରକେଲା : ୧୮/୭ (ସତ୍ୟାନ୍ୟୁଜ) କୁଖ୍ୟାତ ଡ୍ରଗ୍ସ ମାଫିଆ କରଣ ସିଂ କୁ ତିନି ସହଯୋଗୀଙ୍କ ସହ ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ଗିରଫ କରିଛି। ଗିରଫ ଡ୍ରଗ୍ସ ବେପାରୀଙ୍କ ଠାରୁ ପୋଲିସ ୫ ଲକ୍ଷ ଟଙ୍କାର ହିରୋଇନ୍ ଜବତ କରିଛି। ଏହା ସହ ଡ୍ରଗ୍ସ ଚାଲାଣ ହେଉଥିବା ଏକ ଧଳା ରଙ୍ଗର ଅଡ଼ି କାର କୁ ମଧ୍ୟ ପୋଲିସ ଜବତ କରିଛି। ସୂଚନା ଅନୁଯାୟୀ ରାଉରକେଲାକୁ ହେରୋଇନ୍ ନେଇ ଆସୁଥିବା ଖବର ପାଇ ପ୍ଲାଣ୍ଟସାଇଟ୍ ଥାନା ପୁଲିସ ସତର୍କ ରହିଥିଲେ। ଗିରଫ ଅଭିଯୁକ୍ତ ମାନେ ହେଲେ, ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଗାନ୍ଧୀ ରୋଡ ହନୁମାନ ମନ୍ଦିର ନିକଟର କରନ୍ ସିଂ(୨୬), ଟ୍ରାଫିକ ଗେଟ ମଧୁସୂଦନ ମାର୍ଗର ରାଜେଶ ଅନ୍ଥୋନି ଓରଫ ଡାଭିଡ (୩୧), ସ ମିଲ ଗେଟର ପ୍ରଦୀପ ଯାଦବ (୨୪) ଓ ଉଦିତନଗର ଥାନା ଅନ୍ତର୍ଗତ ବାସନ୍ତୀ କଲୋନୀର ରାଜା ରାୟ (୨୮)। ସେମାନଙ୍କ ଠାରୁ ୧୦୩ ଗ୍ରାମ ଓଜନର ହେରୋଇନ୍ ଓ ଗୋଟିଏ କାର ଜବତ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ , ରାଉରକେଲାକୁ ହେରୋଇନ୍ ଚାଲାଣ ହେଉଥିବା ନେଇ ସୂଚନା ପାଇ ଏସପି ମିତ୍ରଭାନୁ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ପ୍ଲାଣ୍ଟସାଇଟ୍ ଥାନା ପୁଲିସ ବିଶ୍ରା ଛକ ନିକଟ ସିଆଇଏସଏଫ୍ କଲୋନୀ ଗେଟ ନିକଟରେ ଯାଞ୍ଚ କରିଥିଲେ। ସେହି ସମୟରେ ଏହି ୪ ଜଣ ଡ୍ରଗ୍ସ ଚାଲାଣକାରୀ ଏକ କାରରେ ଆସୁଥିଲେ। ପୋଲିସ ଯାଞ୍ଚ ପରେ କାରରୁ ୧୦୧ ଗ୍ରାମ ହିରୋଇନ୍ ଜବତ ହୋଇଥିଲା। ବନ୍ଧମୁଣ୍ଡା ଅଞ୍ଚଳରୁ ହେରୋଇନ ଆଣି ରାଉରକେଲା ରେ ବିକ୍ରି କରିବାକୁ ଯୋଜନା କରୁଥିବା ତଦନ୍ତରୁ ଜଣାପଡ଼ିଛି। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।