ରାଉରକେଲା : ବେଦବ୍ୟାସ ବ୍ରାହ୍ମଣୀ ନଦୀ ଉପରେ ଝୁଲା ପୋଲ ପାଇଁ ସର୍ଭେ ଶେଷ।। ଝୁଲା ପୋଲ ହେବା ନେଇ ଆଶା ପ୍ରକାଶ କଲେ ସହର ବାସୀ।

0 818

ରାଉରକେଲା : ୧୫/୭ (ସତ୍ୟାନ୍ୟୁଜ) ବେଦବ୍ୟାସ ବ୍ରାହ୍ମଣୀ ନଦୀ ଉପରେ ପ୍ରସ୍ତାବିତ ଝୁଲାପୋଲ ନିର୍ମାଣ ପାଇଁ ତିନିଦିନ ହେଲା ଚାଲିଥିବା ସର୍ଭେ କାର୍ଯ୍ୟ ଶେଷ ହୋଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ସର୍ଭେ କାମ ଆରମ୍ଭ ହୋଇଛି। ପୂର୍ବରୁ କେନ୍ଦ୍ର ଆଦିବାସୀ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହୋଇ ଆସିଥିଲା। ମାତ୍ର କାମ ନହୋଇ ପରିବାରୁ ଏହି ଅର୍ଥ ଫେରି ଯାଇଥିଲା। ବହୁ ଦିନ ପରେ ସର୍ଭେ କାମ ଆରମ୍ଭ ହୋଇଥିବାରୁ ଝୁଲା ପୋଲ ହେବା ନେଇ ଆଶା ଦେଖାଦେଇଛି।
ରାଉରକେଲା ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ମନୋଜ କୁମାର ମହାନନ୍ଦ, ସହକାରୀ ନିର୍ବାହୀ ଯନ୍ତ୍ରୀ ଭାଗିରଥୀ ସାହୁ, ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ମହାପାତ୍ର ତତ୍ବାବଧାନରେ ସର୍ଭେ କାର୍ଯ୍ୟ କରାଯାଇଥିଲା। ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଅନୁମତିକ୍ରମେ ଅଗ୍ନିଶମ ବିଭାଗର ଅଧିକାରୀ କୃତିବାସ ସାହୁଙ୍କ ନେତୃତ୍ବରେ ୧୧ ଜଣିଆ ଦଳ ସହଯୋଗ କରିଥିଲେ। ସର୍ଭେ କାମ ସହ ପ୍ରକଳ୍ପ ରିପୋର୍ଟର ତଦାରଖ ପାଇଁ ବ୍ରିଜ ପରାମର୍ଶଦାତା ଇଞ୍ଜିନିୟର ଅଶୋକ କୁମାର ବାସାଙ୍କୁ ଦାୟିତ୍ବ ଦିଆଯାଇଛି। ବେଦବ୍ୟାସପୀଠ ବିକାଶ ମଞ୍ଚର ଆବାହକ ବଦ୍ରୀ ନାରାୟଣ ପାଢ଼ୀ, ଯୁଗ୍ମ ଆବାହକ ବିଭୂତି ଭୂଷଣ ଦାସ, ହୃଷିକେଶ ବଳିୟାର ସିଂହ, କେଦାରନାଥ ପାଢ଼ୀ, ନରେନ୍ଦ୍ର କୁମାର ଦାଶ, ବିଜୟାନନ୍ଦ ଅଗ୍ରୱାଲ, ଲକ୍ଷ୍ମୀଧର ପାଣି ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ଗତ ମେ ୧୮ରେ ଭୁବନେଶ୍ବରରୁ ବିଶ୍ବବ୍ୟାଙ୍କ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଦୁର୍ଗାପ୍ରସନ୍ନ ମିଶ୍ର ହାଡ଼ପକାଘାଟ ତଥା ପାଖାପାଖି ଅଞ୍ଚଳ ବୁଲି ଦେଖିଥିଲେ। ପ୍ରକଳ୍ପ ଉପରେ ତୁରନ୍ତ କାର୍ଯ ଆରମ୍ଭ ହେବ ବୋଲି ସେତେବେଳେ ସେ କହିଥିଲେ। ବ୍ରିଜ ପରାମର୍ଶଦାତା ଇଞ୍ଜିନିୟର ଅଶୋକ କୁମାର ବାସା ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏହା ପୂର୍ବରୁ ବେଦବ୍ୟାସ ବିକାଶ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନମନ୍ତ୍ରୀଙ୍କୁ ଝୁଲାପୋଲ ନିର୍ମାଣ ପାଇଁ ସ୍ମାରକପତ୍ର ପ୍ରଦାନ କରାଯାଇଛି। କେ‌ବଳ ଏତିକି ନୁହେଁ ବହୁ ପୂର୍ବରୁ ତତ୍କାଳୀନ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ବେଦବ୍ୟାସ ଝୁଲାପୋଲ ପାଇଁ କେନ୍ଦ୍ର ଆଦିବାସୀ ବିଭାଗ ପାଣ୍ଠିରୁ ଅର୍ଥ ମଞ୍ଜୁର କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏନ୍‌ଓସି ନ ମିଳିବାରୁ ବର୍ଷ ବର୍ଷ ଧରି ପାଣ୍ଠି ପଡ଼ି ରହିବା ପରେ ଫେରିଯାଇଥିଲା। ଗତ କିଛି ମାସ ତଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ବେଦବ୍ୟାସ ପୀଠର ଶୋଭବର୍ଦ୍ଧନ ପାଇଁ ଝୁଲାପୋଲ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ତବେ ସର୍ଭେ ପରେ ବେଦବ୍ୟାସ ଝୁଲାପୋଲ ନିର୍ମାଣ ହେଉଛି, ନା’ କେବଳ ସର୍ଭେରେ ଅଟକି ଯାଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.