ରାଜଗାଙ୍ଗପୁର : ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋବାଇଲ ଟର୍ଚ୍ଚ ଲାଇଟରେ ଚାଲିଛି ରୋଗୀ ସେବା।। ଜେନେରେଟର ସେଟ୍ ଖରାପ ହୋଇଥିବାରୁ ଏପରି ସ୍ଥିତି।

0 381

ରାଜଗାଙ୍ଗପୁର : ୧୪/୭ (ସତ୍ୟାନ୍ୟୁଜ) ମୋବାଇଲ ଲାଇଟରେ ଚାଲିଛି ରୋଗୀ ସେବା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ଜଣେ ମହିଳା ଦୁର୍ଘଟଣାରେ ଗୁରୁତର ଆହତ ହୋଇ ରାଜଗାଙ୍ଗପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ । ମୁଣ୍ଡରେ ତାଙ୍କର ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଡ୍ରେସିଂ କଲାବେଳେ ହଠାତ ବିଜୁଳି ଚାଲିଯାଇଥିଲା ପରିବାର ଲୋକ ଓ କର୍ମଚାରୀ ମୋବାଇଲ ଆଲୁଅରେ ତାଙ୍କର ଚିକିତ୍ସା କରିଥିଲେ। ଅଧିକ ଗୁରୁତର ଥିବାରୁ ପରେ ତାଙ୍କୁ ରାଉରକେଲା ମଧ୍ୟ ସ୍ଥାନାନ୍ତରିତ କରାଯାଇଥିଲା ସେହି ମୋବାଇଲ ଟର୍ଚ୍ଚ ଲାଇଟ ସହାୟତାରେ । ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସୂତି ବିଭାଗରେ ମଧ୍ୟ ସମାନ ଦୃଶ୍ୟ। ବିଦ୍ୟୁତ ଲାଇନ ଚାଲିଗଲେ ନବଜାତ ଶିଶୁ ସହିତ ମାଆ ଗରମ ରେ ଆଉଟି ପାଉଟି ହେଉଛନ୍ତି। କିଏ କପଡାରେ ବିଞ୍ଚି ହେଉଛି ତ କିଏ ବାହାରେ ଆଣି ବୁଲାଉଛି । ସେଠାରେ ଥିବା ଜେନେରେଟର ସେଟ୍ ତିନିଦିନ ହେଲା ଖରାପ ହୋଇ ପଡିଛି। ରାଜଗାଙ୍ଗପୁର ଭଳି ଏକ ଆଦିବାସୀ ଅଧୁଷିତ ଅଞ୍ଚଳରେ ଏକ ମାତ୍ର ସାହା ଭରସା ହିଁ ଏହି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର। ତେଣୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ସେବା ସୁବ୍ୟବସ୍ଥିତ କରିବାକୁ ସାଧାରଣରେ ଦାବି ହେଉଛି।

ଅନ୍ୟପକ୍ଷରେ ଜେନେରେଟର ସେଟ୍ ଖୁବ ଶୀଘ୍ର ମରାମତି ହୋଇଯିବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ କହିଛନ୍ତି। ଜରୁରୀ ସ୍ଥିତି ଲାଗି ଆଉ ଏକ ଜେନେରେଟର ସେଟ୍ ଯୋଗାଇ ଦେବାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ।

Leave A Reply

Your email address will not be published.