ଭୁବନେଶ୍ୱର : ୧୨/୭ (ସତ୍ୟାନ୍ୟୁଜ) ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ବୁଡ଼ି ଗତକାଲି ଠାରୁ ନିଖୋଜ ଥିବା ୨ ଛାତ୍ରଙ୍କ ମୃତଦେହ ବୁଧବାର ସକାଳୁ ଉଦ୍ଧାର ହୋଇଛି। ଫଳରେ ମୃତକଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଜଣେ ମୃତ ଛାତ୍ର ଝାରଖଣ୍ଡର ହୋଇଥିବା ବେଳେ ଅନ୍ୟ ତିନିଜଣ ଓଡ଼ିଶାର ବିଭିନ୍ନ ଜିଲ୍ଲାର। ମୃତକ ମାନେ ହେଲେ ଆର୍ଯ୍ୟନ, ଅଭିନାଶ, ରୋହିତ ଏବଂ ପ୍ରତୀକ। ଆର୍ଯ୍ୟନଙ୍କ ଘର ଜାମସେଦପୁରରେ ହୋଇଥିବା ବେଳେ ରୋହିତଙ୍କ ଘର ବାଲେଶ୍ୱରରେ । ଅଭିନାଶ ଏବଂ ପ୍ରତୀକଙ୍କ ଘର କଟକରେ ବୋଲି ଜଣାଯାଇଛି।
ଅଗ୍ନିଶମବାହିନୀ ଏବଂ ଓଡ୍ରାଫ୍ର ଟିମ୍ ର ଉଦ୍ଧାରକାରୀ ଦଳ ସହାୟତାରେ ଆଜି ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନାଯୋଗ୍ୟଯେ , ଗତକାଲି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ସ୍ଥିତ ଆସ୍ଥା ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ୮ ଜଣ ଛାତ୍ର ଧବଳହାର ନିକଟକୁ ଭୋଜି କରିବାକୁ ଯାଇଥିଲେ। ଭୋଜି ଚାଲିଥିବା ସମୟରେ ସେମାନେ ଗାଧୋଇବାକୁ ନଦୀକୁ ଯାଇଥିଲେ। ଗାଧୋଉଥିବା ବେଳେ ସେଥିରୁ ୫ ଜଣ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ୪ ଜଣ ଭାସି ଯାଇଥିଲେ।
ସୂଚନା ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ସେଠାରେ ପହଞ୍ଚି ବହୁ ଖୋଜାଖୋଜି ପରେ ଗତକାଲି ଜାମସେଦ୍ପୁରର ଆର୍ଯ୍ୟନ୍, କଟକର ଅବିନାଶଙ୍କ ମୃତଦେହ ଉଦ୍ଧାର କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି ସତ୍ତ୍ୱେ ରୋହିତ ଓ ପ୍ରତିକଙ୍କ ପତ୍ତା ମିଳି ପାରି ନ ଥିଲ।
ଆଜି ସକାଳେ ପୁଣି ଥରେ ଅଗ୍ନିଶମ ବାହିନୀ କର୍ମଚାରୀ ଖୋଜାଖୋଜି ଆରମ୍ଭ କରିଥିବା ବେଳେ ଉଭୟ ମୃତଦେହ ଉଦ୍ଧାର କରିଛନ୍ତି।