ଦୁର୍ଗାପୂଜା ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ସାରା ବିଶାଖାପାଟଣା ସହର । କରୋନା କଟକଣା ଯୋଗୁଁ ଗତବର୍ଷ ଦୁର୍ଗା ପୂଜା ପାଳନ ବନ୍ଦ ହୋଇଯାଇଥିଲା କିନ୍ତୁ ଚଳିତ ବର୍ଷ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ଵାରା କରୋନା କଟକଣା ମଧ୍ୟରେ ଦୁର୍ଗାପୂଜା ପାଳନ ପାଇଁ ଅନୁମତି ପ୍ରଦାନ ପରେ ଆନ୍ଧ୍ରପ୍ରଦେଶରେ ବସବାସ କରୁଥିବା ସମସ୍ତ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଦୁର୍ଗାପୂଜା ପାଳନ ପାଇଁ ଉତ୍ସାହ ଦେଖାଦେଇଛି। ବିଶାଖାପାଟଣାର ଦଶପଲ୍ଲା ହିଲ୍ସ ନିକଟରେ ଥିବା ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ପ୍ରଭୁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜଗତଜନନୀ ମା ଦୁର୍ଗାଙ୍କ ଦଶହରା ପୂଜା ଆରମ୍ଭ ହୋଇଯାଇଛି। ସଂଗଠନ ପକ୍ଷରୁ ସଂପୂର୍ଣ୍ଣ କରୋନା କଟକଣା ମଧ୍ୟରେ ପୂଜା ଆରମ୍ଭ ହୋଇଥିବା ବେଳେ ଭକ୍ତଙ୍କ ମନୋରଞ୍ଜନ ପାଇଁ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରତ୍ୟେକ ଦିନ ଏଠାରେ ଶହ ଶହ ଓଡ଼ିଆଙ୍କ ସହ ଅନ୍ୟ ମାନେ ମଧ୍ୟରେ ମା ଦୁର୍ଗାଙ୍କ ଦର୍ଶନ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେଇଛନ୍ତି।