ରାଉରକେଲା : ଆଖିକୁ ସୁନ୍ଦର ଦେଖାଯାଉଥିବା ହଳଦିଆ ଆମ୍ବ ସ୍ୱାସ୍ଥ୍ୟ ପାଇଁ ହାନିକାରକ।। ଫଳ ପଚାଇବାକୁ ବ୍ୟବହୃତ କେମିକାଲ ଅଧିକ ବିପଜ୍ଜନକ।
ରାଉରକେଲା : ୧୫/୫ (ସତ୍ୟାନ୍ୟୁଜ) ଆଉ କିଛିଦିନ ପରେ ସାବିତ୍ରୀ। ପରେ ପରେ ରଜ। ଏହି ଦୁଇଟି ପର୍ବରେ ଫଳର ଚାହିଦା ବହୁତ ଅଧିକ। ସାବିତ୍ରୀ ବ୍ରତରେ ପୂଜାପାଇଁ ବିଭିନ୍ନ ପ୍ରକାର ଫଳମୂଳର ଆବଶ୍ୟକତା ପଡିଥାଏ। ସେହିପରି ରଜରେ ଓଡ଼ିଶାରେ ଆମ୍ବର ବ୍ୟବହାର ବହୁଳ ଭାବେ ଦେଖାଯାଏ। ଏବେ ଆମ୍ବ ଋତୁ ଚାଲିଛି ଏବଂ ବଜାରରେ ବିଭିନ୍ନ କିସମର ପାଚିଲା ଆମ୍ବ ପସରା ମେଲି ଗଲାଣି। ହଳଦୀଆ ରଙ୍ଗର ପାଚିଲା ଆମ୍ବ ଗ୍ରାହକମାନଙ୍କୁ ବେଶ ଆକର୍ଷିତ କରୁଛି। କିନ୍ତୁ ପାଟିକୁ ସୁଆଦିଆ ଲାଗୁଥିବା ଏହି ସବୁ ପାଚିଲା ଆମ୍ବ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ କ୍ଷତିକାରକ। ଖୁବ କମ ଲୋକଙ୍କୁ ଏହା ଜଣା। ଆମ୍ବର ଚାହିଦା ଅଧିକ ଥିବାରୁ କୃତ୍ରିମ ଉପାୟରେ କ୍ୟାଲ୍ସିୟମ୍ କାର୍ବାଇଡ୍ ପ୍ରୟୋଗ କରି ଆମ୍ବକୁ ପଚାଇ ହଳଦିଆ କରି ଦିଆଯାଉଛି। ଆମ୍ବ ପଚାଇବା ପାଇଁ ବ୍ୟବହାର କରାଯାଉଥିବା କ୍ୟାଲ୍ସିୟମ୍ କାର୍ବାଇଡ୍କୁ ନିଷିଦ୍ଧ କରାଯାଇଛି। କିନ୍ତୁ ବଜାରରେ ବ୍ୟବସାୟୀମାନେ ଖୋଲାଖୋଲି ଏହି ରାସାୟନିକ ପଦାର୍ଥକୁ ବ୍ୟବହାର କରୁଛନ୍ତି।
ଖାଦ୍ୟ ସୁରକ୍ଷା ବିଭାଗ ବିଭିନ୍ନ ଫାଷ୍ଟ ଫୁଡ଼ ଦୋକାନରେ ସେମାନଙ୍କ କାର୍ଯ୍ୟାନୁଷ୍ଠାନ ସୀମିତ ରଖିଛନ୍ତି। ଲୋକ ଦେଖାଣିଆ ଭାବେ କେତେବେଳେ କେମିତି ସଚେତନତା କାର୍ଯ୍ୟକ୍ରମ କରି ଦେଉଛନ୍ତି।
ଆମ୍ବ ସହ କଦଳୀ, ସପୁରୀ, ପଣସ, ଲିଚୁ ଓ ଅମୃତଭଣ୍ଡା ଭଳି ଫଳ ପଚାଇବାକୁ ମଧ୍ୟ କ୍ୟାଲସିୟମ୍ କାର୍ବାଇଡ୍ ବ୍ୟବହାର କରାଯାଉଛି। ଫଳ ପଚାଇବାକୁ ଏହାକୁ ବ୍ୟବହାର କରାଗଲା ବେଳେ ଏଥିରୁ ନିର୍ଗତ ଏସିଟିଲିନ୍ ଗ୍ୟାସ୍ ସ୍ବାସ୍ଥ୍ୟ ପକ୍ଷେ ବିପଜ୍ଜନକ। ତେଣୁ ୨୦୦୬ ମସିହାରୁ ଏହାକୁ ଭାରତରେ ନିଷିଦ୍ଧ କରାଯାଇଛି। ପୁଣି ୨୦୧୧ ମସିହା ଆଇନ ଅନୁସାରେ ଏହାକୁ ବ୍ୟବହାର କଲେ, ୬ ମାସ ପର୍ଯ୍ୟନ୍ତ ଜେଲ୍ଦଣ୍ଡର ବ୍ୟବସ୍ଥା କରାଯାଇଛି। ତଥାପି ବିନା କାର୍ବାଇଡ଼ ରେ ପାଚିଲା ଫଳ ମିଳିବା ଅସମ୍ଭବ। କାଲସିୟମ କାର୍ବାଇଡ଼ ବ୍ୟତୀତ ଆମ୍ବ କଦଳୀ ଆଦି ପଚାଇବାକୁ ଏକ ପ୍ରକାର ତରଳ କେମିକାଲ ମଧ୍ୟ ବ୍ୟବହାର କରାଯାଉଛି। ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ।
ଖାଦ୍ୟ ସୁରକ୍ଷା ବିଭାଗର ଉଦାସୀନତା ପାଇଁ ଆଇନ କଡ଼ାକଡ଼ି ଭାବେ ଲାଗୁ ହୋଇପାରୁନାହିଁ। ବଡ଼ କଥା ହେଉଛି, ରାଉରକେଲା ଭଳି ବଜାରରେ ବିକ୍ରି ହେଉଥିବା ପାଚିଲା ଫଳରେ ଦୁଇ ଦୁଇ ଥର କାର୍ବାଇଡ୍ ବ୍ୟବହାର କରାଯାଉଛି। ଥରେ ଫଳ ଗୋଦାମରେ କାର୍ବାଇଡ଼ ଦିଆଯାଉଥିବା ବେଳେ , ଆଉଥରେ ଖୁଚୁରା ଦୋକାନୀ ମାନେ କାର୍ବାଇଡ଼ ପ୍ରୟୋଗ କରୁଛନ୍ତି। ତେଣୁ ବଜାରରେ ମିଳୁଥିବା ପାଚିଲା ଆମ୍ବ ବା ଅନ୍ୟାନ୍ୟ ଫଳ ବହୁ ମାତ୍ରାରେ ବିଷାକ୍ତ ବୋଲି ସ୍ୱାସ୍ଥ୍ୟ ଏକ୍ସପର୍ଟ ମାନେ ସଚେତନ କରିଛନ୍ତି।
ରାଉରକେଲାର ଫଳ ବ୍ୟବସାୟୀ ମାନେ ଏହି କଥାକୁ ଖୋଲାଖୋଲି ସ୍ୱୀକାର କରୁଥିବା ବେଳେ କାର୍ବାଇଡ଼ ବିନା ଫଳ ପଚାଇବାକୁ ଅନ୍ୟଗତି ନାହିଁ ବୋଲି କହୁଛନ୍ତି। ବଜାର ଚାହିଦାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଏଭଳି କରିବାକୁ ପଡ଼ୁଛି ବୋଲି ସେମାନେ କହୁଛନ୍ତି। ବାହାରୁ ଆସୁଥିବା କଞ୍ଚା ଆମ୍ବ, କଦଳୀ ଭଳି ଫଳ ଏଥିଲିନ୍ ଗ୍ୟାସ୍ ବ୍ୟବହାର କରି ପଚାଇବାକୁ ବିଳମ୍ବ ହେଉଛି। ଶୀଘ୍ର ପଚାଇବାକୁ ହେଲେ, ଅଧିକ ଏଥିଲିନ୍ ଗ୍ୟାସ୍ ବ୍ୟବହାର କରିବାକୁ ପଡ଼ିବ। ଏହାଦ୍ବାରା ସେମାନେ ଅଧିକ ଖର୍ଚ୍ଚାନ୍ତ ହେବେ ଏବଂ ଅଧିକ ଏଥିଲିନ୍ ଗ୍ୟାସ୍ ବ୍ୟବହାର ବି ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ସେମାନେ କାର୍ବାଇଡ୍ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି ବ୍ୟବସାୟୀ ମାନେ।
ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ମାନେ ଏନେଇ ଦୋକାନୀ ମାନଙ୍କୁ ସଚେତନ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।