କେରଳ : ଡଙ୍ଗା ବୁଡି ଘଟଣାରେ ମୃତ୍ୟୁ ସଂଖ୍ୟା ୨୧ କୁ ବୃଦ୍ଧି।। ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ।

0 319

କେରଳ : ୮/୫ (ସତ୍ୟାନ୍ୟୁଜ) କେରଳର ମଲପୁରମ ଜିଲ୍ଲାର ତନୁରଠାରେ ଗତ କଲି ସନ୍ଧ୍ୟାରେ ଏକ ଡଙ୍ଗା ଓଲଟି ପଡ଼ିଥିବା ଘଟଣାରେ ମୃତକଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଓ ମହିଳା ଅଛନ୍ତି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସମେତ କେରଳ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ରବିବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ନେଇ ନୌକା ବିହାର କରୁଥିବା ଏକ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଡଙ୍ଗାରେ ଅଧିକାଂଶ ପିଲାଥିବା ବେଳେ ଖରା ଛୁଟିରେ ସେମାନେ ନୌକା ବିହାରର ଆନନ୍ଦ ନେବାକୁ ଆସିଥିଲେ। ଅତ୍ୟଧିକ ଯାତ୍ରୀଙ୍କ ହେତୁ ଡଙ୍ଗାଟି ଓଲଟି ପଡ଼ିଥିବା କୁହାଯାଉଥିବା ବେଳେ ଡଙ୍ଗା ତଳେ ବହୁ ଜଣ ଚାପି ହୋଇଯାଇଥିଲେ।
ଖବର ପାଇ ତୁରନ୍ତ ଏନଡିଆରଏଫ ଟିମ୍‌, ଅଗ୍ନିଶମ ବାହିନୀ ଓ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏ ଯାବତ ୨୧ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଛୋଟ ଛୁଆ ଓ ମହିଳା ଅଛନ୍ତି। ଗୁରୁତର ଅବସ୍ଥାରେ ଉଦ୍ଧାର ଯାତ୍ରୀଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତନୁରଠାରେ ଡଙ୍ଗା ବୁଡ଼ି ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି।

Leave A Reply

Your email address will not be published.