ମୟୁରଭଞ୍ଜ : ବାଇକ ଆରୋହୀଙ୍କ ଉପରେ ମାଡିଗଲା ଟ୍ରେନ୍। ଘଟଣା ସ୍ଥଳରେ ଉତ୍ତେଜନା ।

0 555

ମୟୁରଭଞ୍ଜ : ୧/୪ (ସତ୍ୟାନ୍ୟୁଜ ) ବାଇକ୍‌ ଆରୋହୀଙ୍କ ଉପରେ ଟ୍ରେନ୍‌ ମାଡିଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ରେଳ ଷ୍ଟେସନ ନିକଟରେ। ମୃତ ଯୁବକ ଜଣଙ୍କ ନିରଞ୍ଜନ ମହାନ୍ତ ଏବଂ ତାଙ୍କ ଘର ତଙ୍ଗାଧୁଆ ଗାଁରେ ବୋଲି ଜଣାଯାଇଛି।
ସୋମବାର ସକାଳେ ନିରଞ୍ଜନ ମଟର ସାଇକେଲ ଯୋଗେ ରେଳଧାରଣା ପାର ହେଉଥିଲେ। ଏହି ସମୟରେ ଶାଲିମାର ସୁପରଫାଷ୍ଟ ଟ୍ରେନଟି ବାରିପଦା ଅଭିମୁଖେ ଯାଉଥିଲା। କୁଷ୍ଣଚନ୍ଦ୍ରପୁର ରେଳ ଷ୍ଟେସନ ନିକଟରେ ଟ୍ରେନ୍‌ଟି ଯୁବକଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେଠାରେ ଫାଟକ ନିର୍ମାଣ ଦାବିରେ ସ୍ଥାନୀୟ ଲୋକେ ରେଳ ଧାରଣା ନିକଟରେ ବସିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକମାନେ ଧାରଣାରୁ ଉଠିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କୃଷ୍ଣଚନ୍ଦ୍ରପୁର ରେଳ ଷ୍ଟେସନ ନିକଟରେ ପୂର୍ବରୁ ଏକ ରେଳ ଫାଟକ ଥିଲା। ହେଲେ ୧୮ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରିତ ଯୋଗୁଁ ସେହି ଫାଟକକୁ ଉଠାଇ ଦିଆଯାଇଥିଲା। ସେଠାରେ କୌଣସି ଫାଟକ ନ ଥିବାରୁ ସାଧାରଣ ଲୋକ ପ୍ରତିଦିନ ବିପଦ ସଂକୁଳ ଭାବେ ରେଳ ଧାରଣା ପାର ହୋଇ ଯିବାଆସିବା କରନ୍ତି।
ଏପରି ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ବହୁବାର ଫାଟକ ବସାଇବା ପାଇଁ ଦାବି କରି ଆସିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ସେଠାରେ ରେଳ ଫାଟକ ତିଆରି ହୋଇନାହିଁ।

Leave A Reply

Your email address will not be published.