ରାଉରକେଲା:ତପସ୍ୱିନୀ, ସମଲେଶ୍ବରୀ , ସାଉଥ ବିହାର ଏକ୍ସପ୍ରେସ ରହଣି ଦାବିରେ କଲୁଙ୍ଗାରେ ରେଳରୋକ।। ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ।
ରାଉରକେଲା : ୩୦/୪ (ସତ୍ୟାନ୍ୟୁଜ) କଲୁଙ୍ଗା ଷ୍ଟେସନରେ କେତେକ ଟ୍ରେନ ର ରହଣି ଦାବି କରି ରେଳ ରୋକ ଯୋଗୁଁ ୭ ଟି ଟ୍ରେନ ଚଳାଚଳ ରଦ୍ଧ କରାଯାଇଛି। ଏହା ସହ କେତେକ ଟ୍ରେନର ଗତିପଥ ମଧ୍ୟ ପରିବର୍ତ୍ତନ କରାଯାଇଛି। ପରେ ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ଡିଭିଜନର ଅଧିକାରୀ ଟ୍ରେନ ରହଣି ଲାଗି ପ୍ରତିଶୃତି ଦେବା ପରେ ଦିନ ୨ ଟା ବେଳେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
କଲୁଙ୍ଗା ରେଳ ଷ୍ଟେସନରେ ତପସ୍ୱିନୀ , ସମଲେଶ୍ବରୀ ଏବଂ ସାଉଥ ବିହାର ଏକ୍ସପ୍ରେସ ଟ୍ରେନର ରହଣି ବହୁ ଦିନରୁ ହୋଇ ଆସୁଥିଲା। ଏ ବାବଦରେ ପୂର୍ବରୁ ରେଳ କର୍ତ୍ତୃପକ୍ଷଙ୍କୁ ଜ୍ଞାପନ ମଧ୍ୟ ଦିଆ ଯାଇଥିଲା। ମାତ୍ର ଏହି ଦାବି ପୂରଣ ହୋଇ ନଥିବାରୁ କଲୁଙ୍ଗା ବିକାଶ ପରିଷଦ ପକ୍ଷରୁ ଆଜି ସକାଳୁ ରେଳ ରୋକ ଆରମ୍ଭ କରା ଯାଇଥିଲା। ଫଳରେ ରାଉରକେଲା , ରାଜଗାଙ୍ଗପୁର ଆଦି ଷ୍ଟେସନରେ ଯାତ୍ରୀ ମାନେ ଅଟକି ରହିଥିଲେ। ରାଜଗାଙ୍ଗପୁରରେ ତପସ୍ୱିନୀ ଏକ୍ସପ୍ରେସ ଅଟକି ରହିଥିବା ଯୋଗୁଁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପରେ ୯ ଟି ବସ ରେ ଯାତ୍ରୀ ମାନଙ୍କୁ ରେଳବାଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ରାଉରକେଲା ଅଣାଯାଇ ସ୍ୱତନ୍ତ୍ର ଟ୍ରେନ ରେ ହଟିଆ ପଠା ଯାଇଥିଲା।
ଏହି ରେଳରୋକ ଆନ୍ଦୋଳନରେ ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା ମଧ୍ୟ ଆସି ପହଁଚି ଥିଲେ। ରେଳବାଇ କର୍ତ୍ତୃପକ୍ଷ ଏକମାସ ମଧ୍ୟରେ ଏହି ଟ୍ରେନ ଗୁଡିକର କଲୁଙ୍ଗା ଷ୍ଟେସନରେ ପରୀକ୍ଷା ମୂଳକ ରହଣି ଲାଗି ପ୍ରତିଶ୍ରୁତି ଦେବା ପରେ ରେଳରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।