ପୁରୀ : ୨୮/୪ (ସତ୍ୟାନ୍ୟୁଜ) ପୁରୀରେ ଆସି ପହଁଚି ଯାଇଛି ବନ୍ଦେ ଭାରତ ଏକ୍ସପ୍ରେସ । ପ୍ଲାଟଫର୍ମ ନମ୍ବର ୨ ରେ ଏହି ଟ୍ରେନ ପହଞ୍ଚିବା ପରେ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ଦେଖାଯାଇଥିଲା।ଆଜି ଓଡିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ ହୋଇଛି। ସକାଳ ୬ଟା ୧୦ ମିନିଟରେ ଏହି ଟ୍ରେନ ହାୱାଡାରୁ ବାହାରି ପୁରୀ ରେ ଆସି ପହଁଚିଛି। ପ୍ରଥମେ ବାଲେଶ୍ଵରରେ ପହଞ୍ଚିବା ପରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ପରେ ଏହି ଟ୍ରେନ ୧୧ଟା ୩୦ରେ ଭୁବନେଶ୍ଵର ରେଳ ଷ୍ଟେସନରେ ପହଞ୍ଚିଥିଲା।
ପୁରୀରେ କିଛି ସମୟ ରହିବା ପରେ ମଧ୍ୟାହ୍ନ ୧ଟା ୫୦ରେ ହାୱାଡା ବାହାରିବ ଟ୍ରେନ। ରାତି ୮ଟା ୩୦ରେ ଏହି ଟ୍ରେନ ହାୱଡା ପହଞ୍ଚିବ ବୋଲି ପୂର୍ବତଟ ରେଳବାଇ ସୂଚନା ଦେଇଛି। ଏହି ଟ୍ରେନ ହାୱଡ଼ାରୁ ବାହାରି ଖଡ଼ଗପୁର, ବାଲେଶ୍ବର, ଭଦ୍ରକ, ଯାଜପୁର-କେନ୍ଦୁଝର ରୋଡ୍, କଟକ, ଭୁବନେଶ୍ବର, ଖୋର୍ଦ୍ଧା ଦେଇ ଶେଷରେ ପୁରୀରେ ପହଞ୍ଚିବ। ସେହିପରି ଏପ୍ରିଲ ୩୦ ତାରିଖରେ ବନ୍ଦେ ଭାରତ ଏକ୍ସପ୍ରେସ ର ହେବ ଦ୍ବିତୀୟ ଟ୍ରାଏଲ ରନ୍। ହାୱଡାରୁ ଭଦ୍ରକ ପର୍ଯ୍ୟନ୍ତ ଏହି ଟ୍ରାଏଲ ରନ୍ ହେବ। ମେ ୧ ତାରିଖରେ ହେବ ତୃତୀୟ ଟ୍ରାଏଲ ରନ୍। ତେବେ ଟ୍ରାଏଲ ରନ ସଫଳ ହେଲେ ମେ ମାସ ଦ୍ଵିତୀୟ ସପ୍ତାହରୁ ଲୋକଙ୍କ ପାଇଁ ଏହି ସେବା ଆରମ୍ଭ କରାଯିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ଦେ ଭାରତ ଏକ୍ସପ୍ରେସ ର ଶୁଭାରମ୍ଭ କରିବେ ବୋଲି ଜଣା ପଡ଼ିଛି ।
ତେବେ ବନ୍ଦେ ଭାରତ ଏକ୍ସପ୍ରେସ ର ଟ୍ରାଏଲ ରନ ପରିପ୍ରେକ୍ଷୀରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ତିନୋଟି ରୁଟ୍ ରେ ଏହି ଟ୍ରେନ ଚଳାଇବାକୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ର ଲେଖିଛନ୍ତି। ଏହି ଟ୍ରେନକୁ ପୁରୀ- ରାଉରକେଲା ଭାୟା ସମ୍ବଲପୁର , ପୁରୀ-ହୱାଡା , ଭୁବନେଶ୍ୱର-ହାଇଦ୍ରାବାଦ ରୁଟ୍ ଚଳାଇବାକୁ ସେ ପତ୍ର ଲେଖିଛନ୍ତି।