ରାଉରକେଲା: ୭୨ ତମ ବନ୍ୟଜନ୍ତୁ ସପ୍ତାହ ପାଳିତ।। ସଚେତନତା ଶୋଭାଯାତ୍ରା ସହ ପ୍ରଦର୍ଶନୀ ଆୟୋଜିତ।

0 77

ରାଉରକେଲାରେ ୭୨ତମ ବନ୍ୟଜନ୍ତୁ ସପ୍ତାହ ପାଳିତ
ରାଉରକେଲା, ସେପ୍ଟେମ୍ବର ୨୭, ୨୦୨୬ (ସତ୍ୟନ୍ୟୁଜ୍ ଆଲର୍ଟ): ବନ୍ୟଜନ୍ତୁ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା ଏବଂ ମଣିଷ-ବନ୍ୟଜନ୍ତୁ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ରାଉରକେଲାରେ ୭୨ତମ ବନ୍ୟଜନ୍ତୁ ସପ୍ତାହ ପାଳନ କରାଯାଇଛି।
ଏହି ଅବସରରେ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବରିଷ୍ଠ ବନ ବିଭାଗ ଅଧିକାରୀ, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ଆରସିସିଏଫ୍, ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ରାଉରକେଲା ଡିଏଫ୍ଓ ରବିକାନ୍ତ ମୀନା ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏଥିରେ ଯୋଗଦେଇଥିଲେ।
ରାଲି ଦିପ୍ତୀ ହୋଟେଲରୁ ଆରମ୍ଭ ହୋଇ ଇନ୍ଦିରା ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ଯାଇଥିଲା। ପ୍ରାୟ ୧୫୦ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ସାଧାରଣ ଲୋକମାନେ ଉତ୍ସାହର ସହ ଏଥିରେ ଭାଗ ନେଇ ବନ୍ୟଜନ୍ତୁ, ଜଙ୍ଗଲ ଓ ପରିବେଶ ସୁରକ୍ଷାର ଗୁରୁତ୍ୱ ସମ୍ପର୍କରେ ବାର୍ତ୍ତା ପ୍ରଚାର କରିଥିଲେ।
ବନ୍ୟଜନ୍ତୁ ସପ୍ତାହ ଅବସରରେ ଆଇଜି ପାର୍କରେ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୨, ୨୦୨୬ ପର୍ଯ୍ୟନ୍ତ ଏକ ବନ୍ୟଜନ୍ତୁ ସଚେତନତା ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଛି। ଏହି ପ୍ରଦର୍ଶନୀରେ ବନ୍ୟଜନ୍ତୁ, ଜୈବ ବିବିଧତା ଏବଂ ବିଭିନ୍ନ ସଂରକ୍ଷଣ ମୂଳକ ପଦକ୍ଷେପ ପ୍ରଦର୍ଶିତ ହୋଇଛି, ଯାହା ଜନସାଧାରଣଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବ।
ଜନସାଧାରଣ , ଛାତ୍ରଛାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ପ୍ରଦର୍ଶନୀ ପରିଦର୍ଶନ କରି ଅଞ୍ଚଳର ସମୃଦ୍ଧ ପ୍ରାକୃତିକ ଐତିହ୍ୟ ସମ୍ପର୍କରେ ଜାଣିବା ସହ ଭବିଷ୍ୟତ ପିଢ଼ି ପାଇଁ ଏହାର ସୁରକ୍ଷା ଓ ସଂରକ୍ଷଣରେ ଅବଦାନ ରଖିବାକୁ ଆହ୍ୱାନ କରାଯାଇଛି।

Leave A Reply

Your email address will not be published.