ରାଉରକେଲା: ୨୭/୯
(ସତ୍ୟାନ୍ୟୁଜ) ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ପର୍ଯ୍ୟଟନ ବିଭାଗ ଓ ରାଉରକେଲା ମହାନଗର ନିଗମ ମିଳିତ ସହଯୋଗରେ ‘ରାଉରକେଲା ପ୍ରମୋ ରନ୍’ ଅୟୋଜିତ ହୋଇଥିଲା। ବିଶ୍ଵ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥାନକୁ ସୁଦୃଢ଼ କରିବା, ସ୍ଵଚ୍ଛତା ହିଁ ସେବା ଅଭିଯାନରେ ଜନଭାଗିଦାରୀକୁ ସକ୍ରିୟ କରିବା ତଥା ବ୍ୟକ୍ତିଗତ ଜୀବନରେ ସ୍ଵଚ୍ଛତା ଆପଣେଇବା ସହ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ
ସ୍ଵଚ୍ଛତା ବଜାୟ ରଖିବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ମାରାଥନରେ ପ୍ରାୟ ୫୫୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।
ସେହିପରି ସୁନ୍ଦରଗଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ ଏସ୍ଡିସି ଅଧ୍ୟକ୍ଷ, ପୌରପାଳିକା ଅଧ୍ୟକ୍ଷା,ପୂର୍ବତନ ବିଧାୟିକା, ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଅଧିକାରୀ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ।