କୋଇଡା : ରାଜସ୍ୱ ଅଧିକାରୀଙ୍କ ନାଁରେ ଗୁରୁତର ଅଭିଯୋଗ।। ନିଜ ଓ ସମ୍ପର୍କୀୟ ଙ୍କ ନାମରେ ୩୦ କୋଟିର ଜମି।। ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ।

0 93

ଖଣି ମାଟିରେ ଜମିର ଖେଳ!
ରାଜସ୍ବ ଅଧିକାରୀଙ୍କ ନିଜ ଓ ସମ୍ପର୍କୀୟଙ୍କ ନାଁ ରେ ୩୦ କୋଟିର ଜମି କୁ ନେଇ ପ୍ରଶ୍ନ!
କୋଇଡା; ୨୭/୯(ସତ୍ୟାନ୍ୟୁଜ) ଖଣିଜ ସମ୍ପଦରେ ସମୃଦ୍ଧ କୋଇଡା ଅଞ୍ଚଳରେ ଜମି କାରବାରକୁ ନେଇ ଏବେ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି।
କୋଇଡା ତହସିଲରେ ଦୀର୍ଘ ସମୟ ଧରି ରାଜସ୍ୱ ବିଭାଗରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଉଠିଛି ଗୁରୁତର ଅଭିଯୋଗ।
ଅଭିଯୋଗ ହେଉଛି—ପ୍ରସ୍ତାବିତ ଶିଳ୍ପ ଓ ଖଣି ପ୍ରକଳ୍ପ ସମ୍ପର୍କିତ ପୂର୍ବ ସୂଚନାର ଅପବ୍ୟବହାର କରି, ସାଧାରଣ ଲୋକ ଜାଣିବା ପୂର୍ବରୁ କମ୍ ଦରରେ ଏକର ଏକର ଜମି କିଣାଯାଇଥିଲା।
ତେହେରାଇ, ଡେଙ୍ଗୁଳା, କାଶିରା, ବଲଡିହି ସମେତ ବିଭିନ୍ନ ଗାଁରେ ଅଧିକାରୀ ଓ ତାଙ୍କ ସମ୍ପର୍କୀୟଙ୍କ ନାମରେ ବହୁ ପରିମାଣର ଜମି କିଣାଯାଇଥିବା ନେଇ ଅଭିଯୋଗକାରୀମାନେ ଦାବି କରିଛନ୍ତି।
ବିଶେଷକରି ଆଦିବାସୀ ଜମିମାଲିକମାନେ ଜମିର ଭବିଷ୍ୟତ ମୂଲ୍ୟ ସମ୍ପର୍କରେ ଅବଗତ ନଥିବା ସୁଯୋଗ ନେଇ ଅଧିକାରୀଙ୍କ ନିଜ ନାମ ଓ ସମ୍ପର୍କୀୟଙ୍କ ନାମରେ ଥିବା ଜମିଜମା, କ୍ରୟବିକ୍ରୟ ଏବଂ ବାର୍ଷିକ ସମ୍ପତ୍ତି ବିବରଣୀରେ ସଠିକ୍ ତଥ୍ୟ ଦିଆଯାଇଛି କି ନାହିଁ, ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅଭିଯୋଗ ପାଇବା ପରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡକ୍ତର ଶୁଭଙ୍କର ମହାପାତ୍ର ବଣାଇ ଉପଜିଲ୍ଲାପାଳଙ୍କୁ ତଦନ୍ତ।କରିବକୁ ନିର୍ଦ୍ଦେଶ ଦେଇଛିନ୍ତି। ଅନ୍ୟପକ୍ଷରେ କୌଣସି ସମ୍ପର୍କୀୟଙ୍କ ନାମରେ ଜମି କିଣି ନାହାନ୍ତି ବୋଲି ତହସିଲଦାର କହିଛନ୍ତି ।
ସବୁଠାରୁ ବଡ଼ ପ୍ରଶ୍ନ—ପ୍ରକଳ୍ପ ପାଇଁ ପ୍ରାୟ ୧୮୫ କୋଟି ଟଙ୍କାର କ୍ଷତିପୂରଣ ଆସିଥିବା ବେଳେ, ପ୍ରାୟ ୩୦ କୋଟି ଟଙ୍କା ମୂଲ୍ୟର ଜମି ଅଧିକାରୀ ଓ ସମ୍ପର୍କୀୟଙ୍କ ନାମରେ ଥିବା ନେଇ ଦାବି କରାଯାଉଛି।
ପିଢ଼ି ପିଢ଼ି ଧରି ଯେଉଁ ଜମି ଉପରେ ଆଦିବାସୀ ପରିବାରର ଜୀବିକା ନିର୍ଭର କରୁଥିଲା, ସେହି ଜମି ପ୍ରକଳ୍ପ ସମ୍ପର୍କିତ ପୂର୍ବ ସୂଚନାକୁ ଆଧାର କରି କମ୍ ଦରରେ କିଣାଯାଇଥିଲା। ଏହା ସ୍ୱାଭାବିକ ଭାବେ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି।
ତେଣୁ ଜମି ରେକର୍ଡ, ବିକ୍ରୟ ଦଲିଲ, ନାମଜାରି ତଥ୍ୟ, ସମ୍ପତ୍ତି ଘୋଷଣାପତ୍ର ଏବଂ ପ୍ରକଳ୍ପ ସମ୍ପର୍କିତ ସରକାରୀ ଫାଇଲ୍‌ ଯାଞ୍ଚ କରି ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଆଦିବାସୀ ନେତୃତ୍ୱ ମଣ୍ଡଳୀ।
ତେବେ ଏହି ସମସ୍ତ ଅଭିଯୋଗର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
କୋଇଡାର ଖଣିଜ ସମ୍ପଦ ମଧ୍ୟରେ ଜମି ହରାଇଥିବା ଲୋକଙ୍କ ଜମି କାରବାରର ପ୍ରକୃତ ସତ୍ୟ କେବେ ସାମ୍ନାକୁ ଆସିବ—ଏବେ ତାହା ଉପରେ ରହିଛି ସମସ୍ତଙ୍କ ନଜର।

Leave A Reply

Your email address will not be published.