ରାଉରକେଲା : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଙ୍କ ଇସ୍ତଫା ଦାବିରେ କଂଗ୍ରେସ ର ବିକ୍ଷୋଭ।। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।

0 76

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କଂଗ୍ରେସର ବିକ୍ଷୋଭ
ରାଉରକେଲା : ୨୮/୯
(ସତ୍ୟାନ୍ୟୁଜ) ରାଉରକେଲାରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଦଳର ବହୁ କର୍ମକର୍ତ୍ତା ଓ କର୍ମୀ ଯୋଗଦେଇଥିଲେ।
ଜିଲ୍ଲା କଂଗ୍ରେସ ସଭାପତି ସାବିର ହୁସେନଙ୍କ ନେତୃତ୍ୱରେ ଆୟୋଜିତ ବିକ୍ଷୋଭରେ କଂଗ୍ରେସ କର୍ମୀମାନେ ନିର୍ବାଚନ କମିଶନଙ୍କ କାର୍ଯ୍ୟପ୍ରଣାଳୀ ଏବଂ ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ନାରାବାଜି କରିଥିଲେ। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିରପେକ୍ଷତା ରକ୍ଷା କରାଯାଉନଥିବା ଅଭିଯୋଗ କରି ଦଳ ପକ୍ଷରୁ ତୀବ୍ର ପ୍ରତିବାଦ ଜଣାଯାଇଥିଲା।
କଂଗ୍ରେସର ଅଭିଯୋଗ ଅନୁଯାୟୀ, ଭୋଟର ତାଲିକାରେ ଜାଣିଶୁଣି ବିଭ୍ରାଟ ସୃଷ୍ଟି କରାଯାଇଛି। ଏହି ଘଟଣାରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମାମଲା ରୁଜୁ କରାଯିବା ସହ ତାଙ୍କୁ ପଦରୁ ବହିଷ୍କାର କରାଯାଉ ବୋଲି କଂଗ୍ରେସ ଦାବି କରିଛି। ଏଥିସହ ତାଙ୍କ ଇସ୍ତଫା ଦାବି ମଧ୍ୟ ଜୋରଦାର କରାଯାଇଛି।
ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା, ନିରପେକ୍ଷତା ଓ ଭୋଟରଙ୍କ ଅଧିକାର ସମ୍ପର୍କରେ ଉଠୁଥିବା ପ୍ରଶ୍ନର ସ୍ପଷ୍ଟ ଜବାବ ଦିଆଯିବା ଆବଶ୍ୟକ ବୋଲି କଂଗ୍ରେସ ନେତାମାନେ କହିଛନ୍ତି। ଭୋଟର ତାଲିକା ସମ୍ପର୍କିତ ଅଭିଯୋଗର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯାଉ ବୋଲି ମଧ୍ୟ ଦଳ ପକ୍ଷରୁ ଦାବି ଉଠିଛି।

Leave A Reply

Your email address will not be published.