କୋରାପୁଟ : ଲଗାଣ ବର୍ଷାରେ ଚାଷ ଜମିରେ ମାଡ଼ିଗଲା ପାଣି , ମାଟି , ପଥର।। ଅବାଧ ପାହାଡ କଟିଂ ସହ ଡ୍ରେନ୍ ନଥିବାରୁ ଅସ୍ୱାଭାବିକ ସ୍ଥିତି।
କୋରାପୁଟରେ ଲଗାଣ ବର୍ଷାରେ ଚାଷଜମି ଜଳମଗ୍ନ, ଫସଲ ନଷ୍ଟ ଅଭିଯୋଗ।
କୋରାପୁଟ : ୨୬/୯
(ସତ୍ୟାନ୍ୟୁଜ) କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ ଦଲେଇଗୁଡ଼ା ପଞ୍ଚାୟତ ନିକଟସ୍ଥ କାଡାମଗୁଡ଼ା ଗାଁରେ ଲଗାଣ ବର୍ଷା ଯୋଗୁଁ ଚାଷଜମି ଓ ବିଭିନ୍ନ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଚାଷୀଙ୍କ ଅଭିଯୋଗ ଅନୁସାରେ, କାଡାମଗୁଡ଼ା ନିକଟରେ ଏକ ଘରୋଇ କମ୍ପାନୀ ପକ୍ଷରୁ ପାହାଡ଼ କଟିଂ କରା ଯାଇଛି। ତେବେ ସେଠାରେ ଆବଶ୍ୟକ ଡ୍ରେନେଜ୍ ବ୍ୟବସ୍ଥା କରାଯାଇ ନଥିବାରୁ ଲଗାଣ ବର୍ଷା ସମୟରେ ପାହାଡ଼ିଆ ଅଞ୍ଚଳରୁ ପାଣି ସହ ମାଟି ଓ ପଥର ତଳିଆ ଅଞ୍ଚଳକୁ ଆସି ଚାଷଜମିରେ ପଶୁଛି।
ଫଳରେ ଅନେକ ଚାଷଜମି ପ୍ରଭାବିତ ହେବା ସହ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହେଉଛି।
ଚାଷୀମାନଙ୍କ କହିବା ଅନୁଯାୟୀ, ଡ୍ରେନେଜ୍ ବ୍ୟବସ୍ଥା ପାଇଁ ସେମାନେ ପୂର୍ବରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। ତଥାପି ଡ୍ରେନ୍ ନିର୍ମାଣ କରାଯାଇନଥିବାରୁ ଏଭଳି କ୍ଷୟକ୍ଷତି ଘଟିଥିବା ଚାଷୀ ମାନେ କହିଛନ୍ତି।
ଘଟଣାର ତଦନ୍ତ କରି ଚାଷଜମି ଓ ଫସଲର କ୍ଷୟକ୍ଷତି ଆକଳନ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇଦେବାକୁ ପ୍ରଶାସନ ନିକଟରେ ଚାଷୀ ଦାବି କରିଛନ୍ତି।