ରାଉରକେଲା : ୧୯/୬ (ସତ୍ୟାନ୍ୟୁଜ) ରାଉରକେଲା ବେଦବ୍ୟାସ ନିକଟ ଶଙ୍ଖ ନଦୀରେ ବୁଡି ଆଜି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ଟ୍ରକ ଡ୍ରାଇଭର ଏବଂ ହେଲ୍ପର ବୋଲି ଜଣାପଡିଛି l ବ୍ରାହ୍ମଣୀ ତରଙ୍ଗ ପୁଲିସ ଦୁଇ ଶବ ଦୁଇଟିକୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନା ମର୍ଗରେ ରଖିଛନ୍ତି l ପରିବାର ଲୋକ ପହଂଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି l
ମିଳିଥିବା ସୂଚନା ମୁତାବକ ମୃତକ ଦୁଇ ଜଣ ଉତ୍ତରପ୍ରଦେଶରୁ କିଛି ସାମଗ୍ରୀ ନେଇ ଆଜି ରାଉରକେଲା ବେଦବ୍ୟାସରେ ଏକ ଟ୍ରାନ୍ସପୋର୍ଟ ରେ ପହଂଚି ଥିଲେ l ଦୁହେଁ ଗାଡି ଛିଡ଼ାକରି ବେଦବ୍ୟାସ ଗୋପପାଲୀ ବସ୍ତି ନିକଟସ୍ଥ ଶଙ୍ଖ ନଦୀକୁ ଗାଧୋଇବାକୁ ଯାଇଥିଲେ l ଦୁହେଁ ଗାଧୋଇ ଥିବା ବେଳେ ବୁଡି ଯାଇଥିଲେ l ସେଠାରେ ଗାଧୋଉଥିବା ଜଣେ ମହିଳା ଦୁହିଁଙ୍କ ବୁଡି ଯାଇଥିବା ଦେଖି ଏ ସମ୍ପର୍କରେ ଆସି ବସ୍ତି ଲୋକଙ୍କୁ କହିଥିଲେ l ବସ୍ତି ଲୋକ ବ୍ରାହ୍ମଣୀ ତରଙ୍ଗ ଥାନା ଓ ଅଗ୍ନିଶମ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ l ଅଗ୍ନିଶମ ବାହିନୀ ଏବଂ ପୋଲିସ ପହଁଚି ଉଦ୍ଧାର କରିବା ପୂର୍ବରୁ ଦୁହିଁଙ୍କର ମୃତ୍ୟୁ ହୋଇ ସାରିଥିଲା l