ରାଉରକେଲା : ୨୯/୩ (ସତ୍ୟାନ୍ୟୁଜ) ବିବାଦ କୋଇଡା ବିଡ଼ିଓ ପଲ୍ଲବୀ ରାଣୀ ରାଜ୍ ଙ୍କ ପିଛା ଛାଡ଼ୁନି। ବିଭିନ୍ନ ପ୍ରସଙ୍ଗକୁ ନେଇ ସବୁବେଳେ ବିବାଦ ଘେରରେ ଥିବା କୋଇଡ଼ା ବିଡ଼ିଓ ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ତାଙ୍କ ବାପା ଏବଂ ଭାଇ ତାଙ୍କୁ ମାଡ ମାରିଥିବା କୋଇଡା ଥାନାରେ ଅଭିଯୋଗ କରିଛନ୍ତି ପଲ୍ଲବୀ। ପୁଲିସ ଏହି ଘଟଣାରେ ବିଡିଓଙ୍କ ବାପାଙ୍କୁ ଗିରଫ କରିଥିବାବେଳେ ଭାଇ ଫେରାର ଥିବା ଜଣାଯାଇଛି। ବାପାଭାଇଙ୍କ ମାଡ଼ରେ ଆହତ ହୋଇଥିବା ବିଡ଼ିଓ ପ୍ରାଥମିକ ଚିକିତ୍ସା ପରେ ଏବେ ରାଉରକେଲା ଆଇଜିଏଚ୍ରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।
ଅଭିଯୋଗ ଅନୁସାରେ, କୋଇଡାରେ ବିଡିଓ ଥିବା ପଲ୍ଲବୀଙ୍କ ଭାଇ ଠିକାଦାର ଭାବେ କାମ କରନ୍ତି। ସେ ବ୍ଲକ ଏବଂ ବିଭାଗରେ ଠିକା କାମ କରନ୍ତି। ଗତକାଲି ପଲ୍ଲବୀଙ୍କ ସରକାରୀ ବାସଭବନକୁ ତାଙ୍କ ବାପା ଓ ଭାଇ ଯାଇଥିଲେ। ସେଠାରେ କିଛି ବକେୟା ବିଲ ପାସ୍ କରିବାକୁ ନେଇ ବାପା ଓ ଭାଇ ସହିତ ତାଙ୍କର ବଚସା ହୋଇଥିଲା। ପରେ ଉତ୍ତ୍ୟକ୍ତ ହୋଇ ଭାଇ ଓ ବାପା ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି। ପଲ୍ଲବୀଙ୍କ ଚିତ୍କାର ଶୁଣି ପାଖ କ୍ୱାର୍ଟର୍ସରେ ରହୁଥିବା ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟର୍ ଘଟଣାସ୍ଥଳରେ ସହାୟତା ନିମନ୍ତେ ପହଞ୍ଚି ଥିଲେ। ଆକ୍ରମଣକୁ ବିରୋଧ କରିବାରୁ ପଲ୍ଲବୀଙ୍କ ବାପା ଓ ଭାଇ ଏହି ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ମଧ୍ୟ ମାଡ଼ ମାରିଥିଲେ। ସେ ମଧ୍ୟ ଗୁରତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ତାଙ୍କୁ ମଧ୍ୟ ରାଉରକେଲା ଆଇଜିଏଚ୍କୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି।
ଏ ବାବଦରେ ପଲ୍ଲବୀଙ୍କ ବାପା ଓ ଭାଇଙ୍କ ପ୍ରତିକ୍ରିୟା ମିଳିପାରିନି। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରହିଛି।