ରାଉରକେଲା : ୨୮/୩ (ସତ୍ୟାନ୍ୟୁଜ) ରାଜ୍ୟ ପରିବହନ ସଂସ୍ଥା ନିର୍ଦ୍ଦେଶ କ୍ରମେ ଆଜି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଯାନ ବାହାନ ଆଇନ ଉଲଙ୍ଘନ କାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ବିଶେଷ କରି ନାବାଳକ ଏବଂ ନାବାଳିକା ମାନେ ଗାଡି ଚଳାଇବା ଉପରେ ଅଙ୍କୁଶ ଲଗାଇବାକୁ ଏହି ଯାଞ୍ଚ ଆରମ୍ଭ ହୋଇଛି। ରାଉରକେଲା ପରିବହନ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଦିନ ସହରର ଆମ୍ବାଗାନ ଏବଂ ୧୪ ନମ୍ବର ସେକ୍ଟର ଡି ପି ଏସ୍ ଛକରେ ଏହି ଯାଞ୍ଚ ହୋଇଥିଲା। ବିଶେଷ କରି ସ୍କୁଲ ନିକଟରେ ଗାଡି ଯାଞ୍ଚ ଚାଲିଥିଲା। ସ୍କୁଲ ଯାଉଥିବା କମ ବୟସର ଛାତ୍ର ଛାତ୍ରୀଙ୍କୁ ଗାଡି ଚଳାଇବାରୁ ନିବୃତ୍ତ ରଖିବା ଏହି ଯାଞ୍ଚର ଉଦ୍ଦେଶ୍ୟ ବୋଲି କୁହାଯାଉଛି। ଏହି ମୋଟର ଯାନ ଯାଞ୍ଚ ବେଳେ ରାଉରକେଲା ଆର୍ ଟି ଓ ବିଭା ଭଞ୍ଜନ ସାମନ୍ତ ସିଂ ରାୟ ନିଜେ ଉପସ୍ଥିତ ଥିଲେ। ଯାଞ୍ଚ ବେଳେ ୬୦ଟି ମଟର ଯାନ ଉଲଙ୍ଘନ ମାମଲା ହୋଇଥିବା ବେଳେ ୧୦ ଟି ଦୁଇ ଚକିଆ ଯାନ ଜବତ କରାଯାଇଛି। ସଡକ ସୁରକ୍ଷା କୁ ଗୁରୁତ୍ୱ ଦେଇ ଏହି ଯାଞ୍ଚ ଏପ୍ରିଲ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି
ଆର ଟି ଓ କହିଛନ୍ତି।