ରାଉରକେଲା : ୨୬/୧(ସତ୍ୟାନ୍ୟୁଜ) ସ୍ଥାନୀୟ ଉଦିତନଗର ସ୍ଥିତ ପ୍ୟାରେଡ ଗ୍ରାଉଣ୍ଡରେ ୭୪ତମ ସାଧାରଣତନ୍ତ୍ର ଦିବସ ବେଶ ଧୁମଧାମର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହା ସହିତ ଅତିରିକ୍ତ ଜିଲ୍ଲାପାଳ, ରାଉରକେଲ ଡ. ଶୁଭଙ୍କର ମହାପାତ୍ର, ଏସପି ମୁକେଶ କୁମାର ଭାମୁ, ଅତିରିକ୍ତ ଏସପି ବିକ୍ରମ କେଶରୀ ଭୋଇ, ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫତିମା ଏକ୍କା ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦଳାଇ ଦେଶର ସମ୍ବିଧାନର ବିଭିନ୍ନ ବୈଶିଷ୍ଠ୍ୟ ଉପରେ ଗୁରୁତ୍ବାରୋପ କରିବା ସହ ରାଉରକେଲାର ବିକାଶ ସମ୍ପର୍କରେ ନିଜ ଉଦବୋଧନରେ କହିଥିଲେ । ରାଉରକେଲା କେବଳ ଇସ୍ପାତ ନଗରୀ ହୋଇ ରହିନାହିଁ, ଏହା ଆଗାମୀ ଦିନରେ ରାଜ୍ୟ ତଥା ଦେଶର କ୍ରୀଡ଼ା ହବ୍ ହେବାକୁ ଯାଉଛି । ବର୍ତ୍ତମାନ ରାଉରକେଲାରେ ଏୟାରପୋର୍ଟ ମଧ୍ୟ କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବିକାଶ ହୋଇଛି । ରାଉରକେଲାରେ ନବ ନିର୍ମିତ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ସହରକୁ ନୂଆ ପରିଚୟ ଦେଇଥିବା ଶ୍ରୀ ଦଳାଇ କହିଥିଲେ ।
ଏହା ସହିତ ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ, ବିଭିନ୍ନ କ୍ଷେତ୍ରରେ ଜାତୀୟସ୍ତରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଏବଂ ବ୍ୟକ୍ତି ବିଶେଷ ତଥା ପ୍ୟାରେଡରେ ଶ୍ରେଷ୍ଠ ବିବେଚିତ ଦଳମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏତଦ୍ ବ୍ୟତୀତ ରାଉରକେଲା ମହାନଗର ନିଗମ ଓ ସ୍ମାର୍ଟସିଟି ରାଉରକେଲା ପକ୍ଷରୁ ଆୟୋଜିତ ଷ୍ଟ୍ରିଟଫୁଡ୍ ସୁପରଷ୍ଟାର ପ୍ରତିଯୋଗିତାର ଶ୍ରେଷ୍ଠ ରାସ୍ତା ପାର୍ଶ୍ବ ଖାଦ୍ୟ ଦୋକାନୀଙ୍କୁ ମଧ୍ୟ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।
ତାସ୍କେଣ୍ଟ ଠାରେ ଅନୁଷ୍ଠିତ ଏସିଆନ୍ କରାଟେ ଜଜ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ରାଜୀବ କୁମାର ସିଂ, ଅଲ୍ ଇଣ୍ଡିଆ ସବ୍ ଜୁନିୟର କରାଟେ ଚାମ୍ପିୟନସିପରେ ରୌପ୍ୟ ପଦକ ପାଇଥିବା ଆର୍ଣ୍ଣତୀୟା ସ୍ୱାଇଁ ଓ ଆର୍ଯ୍ୟ ବଂଶିକା, ଅଲ୍ ଇଣ୍ଡିଆ ପୋଲିସ ଜୁଡୋ କ୍ଳଷ୍ଟରରେ ରୌପ ପଦକ ପାଇଥିବା ଅଭିଷେକ ପଟ୍ଟନାୟକ, ନଗର କ୍ରୀଡ଼ା ଉତ୍ସବରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଥିବା ସ୍ବେଚ୍ଛାସେବୀ ଶୁଭେନ୍ଦୁ ପଣ୍ଡା, ସ୍ଥଳ ସେନା କ୍ୟାମ୍ପରେ ସ୍ବର୍ଣ୍ଣପଦକ ଜିତିଥିବା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଦିନେଶ ନାୟକ, ସର୍ବ ଭାରତୀୟ ସୁଟିଂ ପ୍ରତିଯୋଗିତାରେ ତୃତୀୟସ୍ଥାନ ଅଧିକାର କରିଥିବା ଶୁଭସ୍ମିତା ଜେନା ଓ ସିନିୟର ନ୍ୟାସନାଲ ଉସୁ ଚାମ୍ପିଅନ୍ସିପିରେ ବ୍ରୋଞ୍ଜ ମେଡାଲ ଜିତିଥିବା ତମନ୍ନା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଅନ୍ୟପକ୍ଷରେ ପ୍ୟାରେଡରେ ଶ୍ରେଷ୍ଠ ବିବେଚିତ ସିନିୟର ଡିଭିଜନ୍ ଏନ୍ସିସିର ମ୍ୟୁନିସିପାଲ କଲେଜ , ଜୁନିୟର ଡିଭିଜନ୍ ଏନସିସିର ସରକାରୀ ଉଚ୍ଚ ବିଦ୍ୟାଳୟ, ଉଦିତନଗର, ସ୍କାଉଟରେ ସରସ୍ବତି ବିଦ୍ୟାମନ୍ଦିର (ବିର୍ସା ରୋଡ), ଗାଇଡ ଓ ରେଡକ୍ରସରେ ସରକାରୀ ଉଚ୍ଚ ବିଦ୍ୟାଳୟ, ଉଦିତନଗର, ସିଭିଲିଆନ୍ (ବାଳିକା)ରେ ସରସ୍ବତି ଶିଶୁ ବିଦ୍ୟାମନ୍ଦିର ଶିବାଜୀ ମାର୍ଗ, ସିଭିଲିଆନ୍ (ବାଳକ)ରେ ସରସ୍ବତି ଶିଶୁ ବିଦ୍ୟାମନ୍ଦିର (ବିର୍ସା ରୋଡ), କବ୍ ବୁଲ୍ ବୁଲରେ ଗୁରୁ ନାନକ ପବ୍ଳିକ୍ ସ୍କୁଲ (ବାଳିକା) ପୁରସ୍କୃତ ହୋଇଥିଲେ ।
ତେବେ ଆଜି ପୂର୍ବାହ୍ନରେ ରାମଧୂନ୍, ପ୍ରଭାତଫେରୀ, ସ୍ବତନ୍ତ୍ର କାରାଗାର ରାଉରକେଲାର ଅନ୍ତେବାସୀଙ୍କୁ ମିଷ୍ଟାନ ବଣ୍ଟନ, ଆରଜିଏଚ୍ରେ ଚିକିତ୍ସାଧୀନ ରୋଗୀଙ୍କୁ ଫଳ ବଣ୍ଟନ ମଧ୍ୟ କରାଯାଇଥିଲା ।