ରାଉରକେଲା : ସହରରେ ଆଜି ଖେଳାଯିବ ଜିଲ୍ଲା ସ୍ତରୀୟ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ।

0 276

• ରାଉରକେଲାର ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ହକି ଟୁର୍ଣ୍ଣାମେଣ୍ଟର ଫାଇନାଲ
• ମହିଳା ବର୍ଗରେ ଖେଳିବେ ଲାଠିକଟା ଓ କୁତ୍ରା ଏବଂ ପୁରୁଷ ବର୍ଗରେ ସୁନ୍ଦରଗଡ଼ ଓ କୁତ୍ରା ଟିମ୍
• ରାଉରକେଲା ଇସ୍ପାତ ଷ୍ଟାଡିୟମରେ ହେବ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ
• ମହିଳା ବର୍ଗରେ ଲାଠିକଟା ଓ ସୁନ୍ଦରଗଡ଼ ଏବଂ ପୁରୁଷ ବର୍ଗରେ ଟାଙ୍ଗରପାଲି ଓ ସବଡେଗା ଟିମ୍ ଭିତରେ ହେବ ମ୍ୟାଚ

ରାଉରକେଲା:୧୯/୧(ସତ୍ୟା ନ୍ୟୁଜ) ହକି ପୁରୁଷ ବିଶ୍ୱକପ୍ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ। ଗୁରୁବାର ଦିନ ରାଉରକେଲାର ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ହକି ଏବଂ ଇସ୍ପାତ ଷ୍ଟାଡିୟମଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ। ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ହେବାକୁ ଥିବା ଏହି ମ୍ୟାଚ ସକାଳ ୧୦ଟାରୁ ଆରମ୍ଭ ହେବ।

ହକି ଟୁର୍ଣ୍ଣାମେଣ୍ଟରେ ପୁରୁଷ ବର୍ଗରେ ସୁନ୍ଦରଗଡ଼ ଓ କୁତ୍ରା ଟିମ୍ ଫାଇନାଲକୁ ଯାଇଥିବା ବେଳେ ମହିଳା ବର୍ଗରେ ଲାଠିକଟା ଓ କୁତ୍ରା ଟିମ୍ ଫାଇନାଲକୁ ଯାଇଛନ୍ତି। ସେହିପରି ଫୁଟବଲରେ ପୁରୁଷ ବର୍ଗରେ ଟାଙ୍ଗରପାଲି ଓ ସବଡେଗା ଫାଇନାଲକୁ ଯାଇଥିବା ବେଳେ ମହିଳା ବର୍ଗରେ ଲାଠିକଟା ଓ ସୁନ୍ଦରଗଡ଼ ଟିମ୍ ଫାଇନାଲରେ ପ୍ରବେଶ କରିଛନ୍ତି।

ବୁଧବାର ଦିନ ଜିଲ୍ଲାସ୍ତରୀୟ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମ୍ୟାଚ ଖେଳା ଯାଇଥିଲା। ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ମ୍ୟାଚରେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ହକି ଟୁର୍ଣ୍ଣାମେଣ୍ଟରେ ମହିଳା ବର୍ଗରେ ନୂଆଗାଁ ଓ ଲାଠିକଟା ଏବଂ ରାଜଗାଙ୍ଗପୁର ଓ କୁତ୍ରା ଟିମ୍ ଭିତରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଲାଠିକଟା ୧-୦ ଗୋଲରେ ନୂଆଗାଁ ଟିମକୁ ପରାଜିତ କରିଥିବା ବେଳେ କୁତ୍ରା ୨-୦ ଗୋଲରେ ରାଜଗାଙ୍ଗପୁରକୁ ପରାଜିତ କରି ଫାଇନାଲକୁ ଯାଇଛି।

ସେହିପରି ପୁରୁଷ ବର୍ଗରେ ବାଲିଶଙ୍କରା ଓ ସୁନ୍ଦରଗଡ଼ ଏବଂ ଲେଫ୍ରିପଡ଼ା ଓ କୁତ୍ରା ଭିତରେ ମ୍ୟାଚ ହୋଇଥିଲା। ଏଥିରେ ସୁନ୍ଦରଗଡ଼ ଟିମ୍ ୧-୦ ଗୋଲରେ ବାଲିଶଙ୍କରାକୁ ହରାଇଥିଲା। ଅନ୍ୟପଟେ କୁତ୍ରା ୨-୦ ଗୋଲରେ ଲେଫ୍ରିପଡ଼ାକୁ ହରାଇ ଫାଇନାଲରେ ପ୍ରବେଶ କରିଛି।

ଜିଲ୍ଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ପୁରୁଷ ବର୍ଗରେ ଟାଙ୍ଗରପାଲି ଓ ହେମଗିର ଏବଂ ବଡ଼ଗାଁ ଓ ସବଡେଗା ବ୍ଳକ ଭିତରେ ମ୍ୟାଚ ହୋଇଥିଲା। ଟାଙ୍ଗରପାଲି ୨-୦ ଗୋଲରେ ହେମଗିରକୁ ଏବଂ ସବଡେଗା ୨-୦ ଗୋଲରେ ବଡ଼ଗାଁକୁ ହରାଇଥିଲା।

ସେହିପରି ମହିଳା ବର୍ଗରେ ଲାଠିକଟା ଓ ରାଜଗାଙ୍ଗପୁର ଏବଂ ସୁନ୍ଦରଗଡ଼ ଓ ବଡ଼ଗାଁ ଟିମ୍ ଭିତରେ ମ୍ୟାଚ ହୋଇଥିଲା। ଏଥିରେ ଲାଠିକଟା ୩-୦ ଗୋଲରେ ରାଜଗାଙ୍ଗପୁରକୁ ହରାଇଥିବା ବେଳେ ସୁନ୍ଦରଗଡ଼ ଟିମ୍ ବଡଗାଁକୁ ପେନାଲ୍ଟି ସୁଟଆଉଟରେ ହରାଇ ଫାଇନାଲରେ ପ୍ରବେଶ କରିଛି।

ହକି ବିଶ୍ୱକପ୍ ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ଯୁବପିଢ଼ିଙ୍କ ଭିତରେ ବିଶେଷ ଉତ୍ସାହ ସୃଷ୍ଟି କରିବା ଲାଗି ପ୍ରଶାସନ ପକ୍ଷରୁ ହକି ଏବଂ ଫୁଟବଲ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଗ୍ରାମପଞ୍ଚାୟତ ସ୍ତରରୁ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ପ୍ରତିଯୋଗିତା ବ୍ଲକ ସ୍ତର ହୋଇ ଜିଲ୍ଲା ସ୍ତରରେ ପହଞ୍ଚିଛି।

Leave A Reply

Your email address will not be published.