ରାଉରକେଲା/ଭୁବନେଶ୍ୱର: ହକି ବିଶ୍ୱକପ ମ୍ୟାଚ ଟିକେଟର କଳାବଜାରୀ ଅଭିଯୋଗ।। ଜଣେ ଛାତ୍ର ସହ ୫ ଗିରଫ।

0 2,650

ରାଉରକେଲା:୧୮/୧(ସତ୍ୟା ନ୍ୟୁଜ) ଏବେ ସମଗ୍ର ରାଜ୍ୟରେ ହକି ଫିଭର। ବିଶେଷ କରି ରାଉରକେଲା ଏବଂ ଭୁବନେଶ୍ୱରରେ। ଏହି ଦୁଇ ସ୍ମାର୍ଟ ସିଟିରେ ଚାଲିଛି ହକି ବିଶ୍ୱକପ ମ୍ୟାଚ। ଭାରତ ଖେଳୁଥିବା ମ୍ୟାଚର ଟିକେଟ ପାଇବାକୁ ପ୍ରବଳ ପ୍ରତିଯୋଗିତା । ଏହାର ଫାଇଦା ଉଠାଉଛନ୍ତି କଳାବଜାରୀ। ଏପରି ସୁଯୋଗରେ ଅନଲାଇନ୍‌ରେ ଚଢ଼ା ଦାମରେ ଟିକେଟ ବିକ୍ରି କରି ମାଲେମାଲ ହେଉଥିବା ୫ ଜଣଙ୍କୁ ଗିରଫ କରିଛି ଭୁବନେଶ୍ୱର ଶହୀଦ ନଗର ଥାନା ପୁଲିସ୍‌। ରାଉରକେଲା ରେ ହକି ଟିକେଟ ବ୍ୟାପକ କଳାବଜାରୀ ହେଉଥିବା ଅଭିଯୋଗ ସବୁବେଳେ ହେଉଛି। କିନ୍ତୁ ଏହା ଉପରେ ଏପର୍ଯ୍ୟନ୍ତ କୋୖଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ଭୁବନେଶ୍ୱରରେ ବ୍ଲାକର୍ସ ମାନେ ୧୦୦ ଟଙ୍କାର ଟିକେଟକୁ ହଜାରେ ଟଙ୍କା, ୨ ଶହ ଟିକଟକୁ ୨ ହଜାର ଓ ୫ ଶହ ଟଙ୍କାର ଟିକଟକୁ ୪ ହଜାର ଟଙ୍କାରେ ବିକ୍ରି କରୁଥିଲେ । ଏହା ଜାଣି ସେମାନଙ୍କୁ ଧରିବାକୁ ଜାଲ ବିଛାଇଥିଲା ପୁଲିସ୍‌। ଆଉ ଏବେ ଜାଲ୍‌ରେ ପଡ଼ି ପୁଲିସ୍‌ ହେଫାଜତ୍ ରେ ଅଛନ୍ତି ଏହି ୫ କଳାବଜାରୀ।
ଆସନ୍ତା ୧୯, ୨୪ ଓ ୨୯ ତାରିଖରେ ହେବାକୁ ଥିବା ମ୍ୟାଚ ପାଇଁ ଏହି କଳବଜାରୀମାନେ ଟିକେଟ ବିକ୍ରି କରୁଥିଲେ। ଏଥିନିମନ୍ତେ ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରୁଥିଲେ। ମ୍ୟାଚ ଦେଖିବାକୁ ଆଗ୍ରହୀ ଲୋକେ କଲ୍‌ କଲେ ସେମାନେ ନିର୍ଦ୍ଦିଷ୍ଟ ଜାଗାକୁ ଡାକୁଥିଲେ। ଏହାପରେ ଅନ୍‌ ଦି ସ୍ପଟ୍‌ ଟଙ୍କା ନେଇ ଟିକେଟ ଦେଉଥିଲେ। ରାଉରକେଲାରେ ମଧ୍ୟ ଫେସବୁକ ରେ ଏପରି ଭାବେ ଟିକେଟ ଦେବାକୁ କେତେକ ଫେସବୁକ ଆକାଉଣ୍ଟ ରେ ପୋଷ୍ଟିଂଗ ଦେଖିବାକୁ ମିଳିଛି।

ରାଜଧାନୀରେ ସକ୍ରିୟ ଥିବା ବ୍ଲାକର ଗ୍ୟାଙ୍ଗ ବାବଦରେ ଜାଣିପାରି କମିଶନରେଟ ପୁଲିସ୍‌ ସେମାନଙ୍କୁ ଧରିବାକୁ ଜାଲ ବିଛାଇଥିଲା। ଉକ୍ତ କଳା ବଜାରୀଙ୍କୁ ଫୋନ୍‌ କରି ସେମାନେ କହିଥିବା ଜାଗାରେ ପହଞ୍ଚି ସେମାନଙ୍କୁ ଧରିଛି ପୋଲିସ । ଗିରଫ ୫ ଜଣଙ୍କ ମଧ୍ୟରେ ଜଣେ ଛାତ୍ର ଥିବା ବେଳେ ଅନ୍ୟମାନେ ବ୍ୟବସାୟ କରନ୍ତି ବୋଲି ଜଣାଯାଇଛି।

ହକି ବିଶ୍ୱକପର ଟିକଟ୍ ବିକ୍ରିରେ ଯେଭଳି କଳାବଜାରୀ ନ ହୁଏ ସେ ନେଇ ବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି । କଳାବଜାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।

Leave A Reply

Your email address will not be published.