ରାଉରକେଲା : ହକି ବିଶ୍ୱକପ ପାଇଁ ଚାଲିଥିବା ଜିଲ୍ଲା ସ୍ତରୀୟ ସଂସ୍କୃତିକ ପ୍ରତିଯୋଗୀତା ଉଦଯାପିତ।। ବିଜେତା ଟିମ ଙ୍କୁ ଆକର୍ଷଣୀୟ ପୁରସ୍କାର।

0 266

ରାଉରକେଲା : ୭/୧/୨୩(ସତ୍ୟା ନ୍ୟୁଜ) ହକି ବିଶ୍ୱକପ ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଶେଷ ହୋଇଛି। ଶନିବାର ଦିନ ରାଉରକେଲାର ଭଞ୍ଜ ଭବନଠାରେ ଅନୁଷ୍ଠିତ ଚୂଡ଼ାନ୍ତ ପ୍ରତିଯୋଗିତାରେ ସଫଳ ହୋଇଥିବା ସାଂସ୍କୃତିକ ଦଳଗୁଡ଼ିକୁ ଆକର୍ଷଣୀୟ ପୁରସ୍କାର ଦିଆଯାଇ ଉତ୍ସାହିତ କରାଯାଇଥିଲା।

ଏହି ପ୍ରତିଯୋଗିତାରେ ସୁନ୍ଦରଗଡ଼ର ଆଦିବାସୀ କରମା ନୃତ୍ୟ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଟାଙ୍ଗରପାଲିର ମା’ ଗଙ୍ଗେଶ୍ୱରୀ ପାଲା ପରିଷଦ ଦ୍ୱିତୀୟ ଏବଂ କୋଇଡ଼ା ବ୍ଲକର ଶରଣ ଧର୍ମ ଏସଟି ହୋ ମୁଣ୍ଡା ପପରିଧାନ ସାଂସ୍କୃତିକ ଦଳ ତୃତୀୟ ସ୍ଥାନ ହାସଲ କରିଥିଲା।

ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳକୁ ୫୦ ହଜାର ଟଙ୍କା, ଦ୍ୱିତୀୟ ସ୍ଥାନ ପାଇଥିବା ଦଳକୁ ୩୦ ହଜାର ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ଦଳକୁ ୨୦ ହଜାର ଟଙ୍କା ସହ ହକି ଜର୍ସି ପ୍ରଦାନ କରାଯାଇଥିଲା। ରାଉରକେଲାର ମାନ୍ୟବର ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଯୋଗଦେଇ କଳାକାରମାନଙ୍କୁ ପୁରସ୍କୃତ କରିଥିଲେ।

ବିଶ୍ୱକପକୁ ଆକର୍ଷଣୀୟ କରିବା ଲାଗି ବ୍ଲକ ସ୍ତରରୁ ଏହି ସାଂସ୍କୃତିକ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏଥିରେ ସ୍ଥାନୀୟ କଳାକାରମାନେ ଭାଗନେଇ ନିଜ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ। ପାଲା, ସଂକୀର୍ତ୍ତନ ସହ ଆଦିବାସୀ ନାଚ ଓ ଗୀତ ମାଧ୍ୟମରେ କଳାକାରମାନେ ହକି ଉପରେ ବିଶେଷ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଏହି ଅବସରରେ ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ ହକିକୁ ନେଇ ସ୍ୱତନ୍ତ୍ର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। କଳାକାରମାନେ ହାତରେ ହକି ଷ୍ଟିକ୍ ଧରି ନୃତ୍ୟ ପରିବେଷଣ କରିବା ସହ ହକି ପୁରୁଷ ବିଶ୍ୱକପକୁ ସ୍ୱାଗତ କରିଥିଲେ।

ଚୂଡ଼ାନ୍ତ ସାଂସ୍କୃତିକ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ୧୦ଟି ସାଂସ୍କୃତିକ ଦଳ ଭାଗ ନେଇଥିଲେ। ସେମାନେ ଝୁମେର, କରମା, ଖଡ଼ିଆ, ଓରାମ, କିସାନ ନୃତ୍ୟ ସହିତ ପାଲା ଓ ସଂକୀର୍ତ୍ତନ ଆଦି ଦଳ ରହିଥିଲେ।

ଚୂଡ଼ନ୍ତ ପ୍ରତିଯୋଗିତାରେ ବିଚାରକ ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟକାର ତଥା ସଙ୍ଗୀତ ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ମହାପାତ୍ର, ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଦୋଳ ଗୋବିନ୍ଦ ଗର୍ଡିଆ, ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଦେଷ୍ଣା ରାଣୀ ରାଉତ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅଭିମନ୍ୟୁ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖାଖା, ରାଉରକେଲା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା, ସୁନ୍ଦରଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ପ୍ରମୁଖ ଯୋଗ ଦେଇଥିଲେ। ଅନିଲ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ।

ହକି ବିଶ୍ୱକପକୁ ଅଧିକ ଆକର୍ଷଣୀୟ ଓ ସ୍ମରଣୀୟ କରିବା ପାଇଁ ଜନସାଧାରଣଙ୍କୁ ଯୋଡ଼ି ଜିଲ୍ଲାବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ବିଭିନ୍ନ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଫଳରେ ଜିଲ୍ଲା ଉତ୍ସବମୁଖର ହୋଇ ଉଠିଛି।

Leave A Reply

Your email address will not be published.