ରାଉରକେଲା : ହକି ବିଶ୍ୱକପ ପୂର୍ବରୁ ସହରରେ ହେବ ବିଦେଶୀ ଟିମଙ୍କ ପ୍ରଦର୍ଶନୀ ମ୍ୟାଚ।। ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ହେବ ଖେଳ।

0 282

ରାଉରକେଲା: ୩/୧/୨୩(ସତ୍ୟା ନ୍ୟୁଜ) ରାଉରକେଲାରେ ନବନିର୍ମିତ ଦେଶର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଜାନୁଆରି ୧୩ ତାରିଖରୁ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ବକପ୍‌ ପାଇଁ ହକିମୟ ହୋଇଯାଇଛି ଇସ୍ପାତ ସହର। ସମୟ ଯେତିକି ପାଖେଇ ଆସୁଛି, ହକିପ୍ରେମୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଡିସେମ୍ବର ଶେଷ ସପ୍ତାହରେ ଭାରତ ଓ କୋରିଆ କନିଷ୍ଠ ପୁରୁଷ ଦଳର ଟେଷ୍ଟ୍‌ ସିରିଜ୍‌ର ସଫଳ ଆୟୋଜନ ହକିପ୍ରେମୀଙ୍କୁ ଉତ୍ସାହକୁ ଦ୍ବିଗୁଣିତ କରିଛି। ବିଶ୍ବକପ୍‌ ଆରମ୍ଭ ହେବା ପୂର୍ବରୁ ସହରବାସୀ ବିଶ୍ବସ୍ତରୀୟ ଦଳର ପ୍ରଦର୍ଶନୀ ହକି ମ୍ୟାଚ୍‌ ଦେଖିବାର ସୁଯୋଗ ପାଇବେ। ଏହି ପ୍ରଦର୍ଶନୀ ମ୍ୟାଚ୍‌ ଆସନ୍ତା ୧୨ ତାରିଖରେ ‌ସ୍ଥାନୀୟ ସେଲ୍‌ ହକି ଏକାଡେମୀ ପରିସରରେ ଖେଳାଯିବ। ଏଥିରେ ଦୁଇ ବିଦେଶୀ ଦଳ ମୁହାଁମୁହିଁ ହେବେ। ତେବେ କେଉଁ ଦୁଇ ଦେଶ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ୍‌ ଖେଳାଯିବ, ସେନେଇ ଆନୁଷ୍ଠାନିକଭାବେ ସୂଚନା ଦିଆଯାଇନାହିଁ।
ଅପରପକ୍ଷରେ ଏହି ବିଶ୍ବସ୍ତରୀୟ ପ୍ରଦର୍ଶନ ମ୍ୟାଚ୍‌ ଆୟୋଜନ ପାଇଁ ଆର୍‌ଏସ୍‌ପି କର୍ତ୍ତୃପକ୍ଷ ସଜବାଜ ଆରମ୍ଭ କରିଦେଇଛନ୍ତି। ବର୍ତ୍ତମାନ ସେକ୍ଟର-୫ସ୍ଥ ସେଲ୍‌ ହକି ଏକାଡେମୀ ପଡ଼ିଆର ନବକଳେବର କରାଯାଉଛି। ପାଖାପାଖି ୧୧ କୋଟି ବ୍ୟୟ ଅଟକଳରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଷ୍ଟାଡିୟମର ପୁରୁଣା ଆଷ୍ଟ୍ରୋଟର୍ଫ‌୍ ପିଚ୍‌କୁ ପରିବର୍ତ୍ତନ କରାଯାଇଛି। ପ୍ରାୟ ୯ କୋଟି ମୂଲ୍ୟର ନୂତନ ଆଷ୍ଟ୍ରୋଟର୍ଫ‌୍ ଲଗାଯାଇଛି। ଏହାସହ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ଚେଞ୍ଜିଂ ରୁମ୍‌, ବାଥ୍‌ଟବ୍‌, ଜିମ୍‌, ଗ୍ୟାଲେରୀର ନବୀକରଣ କରାଯାଉଛି। ପୂର୍ବରୁ ଏହି ଷ୍ଟାଡିୟମରେ ସିଟ୍‌ର ବ୍ୟବସ୍ଥା ନ ଥିଲା। ଏବେ କିନ୍ତୁ ଭିଆଇପି ଗ୍ୟାଲେରୀରେ ୫ ଶହ ସିଟ୍‌, ସେଡ୍‌ ବ୍ୟବସ୍ଥା କରାଯିବା ସହ ଗ୍ୟାଲେରୀକୁ ଅନ୍ତର୍ଜାତୀୟ ମାନର କରାଯାଇଛି। ଗତ ଅକ୍ଟୋବର ପହିଲାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦିଲ୍ଲୀର ଏକ ଠିକା ସଂସ୍ଥା ଅଧିନରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଆସନ୍ତା ୮ ତାରିଖ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ। ଏହାପରେ, ନିର୍ଦ୍ଧାରିତ ତାରିଖ, ଅର୍ଥାତ୍‌ ଜାନୁଆରି ୧୨ ତାରିଖରେ ଏଠାରେ ମ୍ୟାଚ୍‌ ଖେଳାଯିବ। ଏତଦ୍‌ବ୍ୟତୀତ ଆସନ୍ତା ୫ ତାରିଖରୁ ଆନ୍ତଃ ବିଶ୍ବବିଦ୍ୟାଳୟ ହକି ପ୍ରତିଯୋଗିତା ଆରମ୍ଭ ହେବ। ପାନପୋଷ କ୍ରୀଡ଼ା ଛାତ୍ରାବାସ ପଡ଼ିଆରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ୧୨ଟି ବିଶ୍ବବିଦ୍ୟାଳୟ, ଯଥା- ସମ୍ବଲପୁର ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ରେଭେନ୍ସା, କଳାହାଣ୍ଡି ବିଶ୍ବବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ, ଏମ୍‌ଏସ୍‌ସିବି, ଫକୀର ମୋହନ, କିଟ୍‌, ଉତ୍କଳ, ଖଲ୍ଲିକୋଟ, ଗଙ୍ଗାଧର ମେହେର ଏବଂ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ଅଂଶ୍ରହଣ କରିବେ। ପ୍ରତିଯୋଗିତା ୪ ଦିନଧରି ଚାଲିବ।
ଜନସାଧାରଣଙ୍କ ମଧ୍ୟରେ ହକି ପ୍ରତି ଉତ୍ସାହ ବୃଦ୍ଧି ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ, ରାଉରକେଲା ପ୍ରଶାସନ, ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯୁବପିଢ଼ିଙ୍କ ଭିତରେ ଉତ୍ସାହ ସୃଷ୍ଟି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଉଛି। ଗ୍ରାମପଞ୍ଚାୟତସ୍ତରର ହକି, ଫୁଟବଲ ପ୍ରତିଯୋଗିତା(ଉଭୟ ପୁରୁଷ ଓ ମହିଳା), ସବ୍‌ଡିଭିଜନସ୍ତରୀୟ ଆନ୍ତଃ ମହାବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହାସହ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ଓ ସ୍ମାର୍ଟ ସିଟି ପକ୍ଷରୁ ସ୍କୁଲସ୍ତରୀୟ ହକି, ଫୁଟବଲ, ଭଲିବଲ, ଫୁଟବଲ, ଖୋ ଖୋ, କବାଡ଼ି, ଉଚ୍ଚଡିଆଁ, ଲମ୍ବଡିଆଁ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହାସହ ଦିବ୍ୟାଙ୍ଗ ପିଲାଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ସମେତ ସାଇକ୍ଲୋଥନ୍‌, ରାହଗିରି, ମିନି ମାରାଥନ୍‌ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.