ରାଉରକେଲା : ୧୮/୧୨(ସତ୍ୟା ନ୍ୟୁଜ) ଦୌଡ଼ିଲା ରାଉରକେଲା। ହକି ବିଶ୍ୱକପ ପୂର୍ବରୁ ଆଜି ସହରରେ ଆୟୋଜିତ ହୋଇଛି ‘ରନ ଫର ହକି’ କାର୍ଯ୍ୟକ୍ରମ। ଏହି ଦୌଡ଼ ୧୦ କିଲୋମିଟର ବ୍ୟାପି ହୋଇଥିଲା। ହନୁମାନ ବାଟିକା ଛକରୁ ଆରମ୍ଭ ହୋଇ ଦୁଇ ନମ୍ବର ସେକ୍ଟର ଦୁର୍ଗାପୂଜା ପଡ଼ିଆରେ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକ , ଯୁବକ , ଯୁବତୀ , ଛାତ୍ରଛାତ୍ରୀ କ୍ରୀଡ଼ାବିତ ମାନେ ଯୋଗ ଦେଇଥିଲେ। ରାଉରକେଲା ଏଡିଏମ ଡକ୍ତର ଶୁଭଙ୍କର ମହାପାତ୍ର , ରାଉରକେଲା ଏସ ପି ମୁକେଶ କୁମାର ଭାମୁ , ବିଶିଷ୍ଟ କ୍ରୀଡ଼ାବିତ ତଥା ହକି ତାରକା ଲାଜାରୁସ ବାର୍ଲା ପ୍ରମୂଖ ପତାକା ହଲାଇ ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ।
ଆସନ୍ତା ଜାନୁଆରୀ ମାସରେ ରାଉରକେଲାରେ ହକି ବିଶ୍ୱକପ ଖେଳାଯିବ। ଏହା ପୂର୍ବରୁ ସହରରେ ଏକ କ୍ରୀଡା ବାତାବରଣ ସୃଷ୍ଟି କରିବାକୁ ଏହି ରନ ଫର ହକି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି। ପୂର୍ବରୁ ୪ ତାରିଖ ଦିନ ପଥୋତ୍ସବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏବେ ସିଟି ସ୍ପୋର୍ଟସ କାର୍ଣ୍ଣିଭାଲ ଚାଲିଛି। ସହରର ସମସ୍ତେ ହକି ବିଶ୍ୱକପ ସହ ଯୋଡି ହେବାକୁ ଏହା ଏକ ପ୍ରୟାସ ବୋଲି ଅତିଥି ମାନେ କହିଥିଲେ।
‘ରନ ଫର ହକି’ କଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବାକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ , ନାଚ , ଗୀତ ଆଦିର ଆୟୋଜନ କରଯାଇଥିଲା। ବିଭିନ୍ନ ଅନୁଷ୍ଠାନର କଳାକାରଙ୍କ ସମେତ ଛାତ୍ର ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।