ରାଉରକେଲା : ୧୬/୧୨(ସତ୍ୟା ନ୍ୟୁଜ) ପ୍ରବଳ ଉତ୍ସାହ ଓ ଉତ୍କଣ୍ଠା ମଧ୍ୟରେ ଆଗେଇ ଚାଲିଛି ନଗର କ୍ରୀଡ଼ା ଉତ୍ସବ । ଏହି କ୍ରୀଡ଼ା ଉତ୍ସବରେ ଖେଳାଯାଉଥିବା ଟୁର୍ଣ୍ଣାମେଣ୍ଟ ଗୁଡ଼ିକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଖେଳାଳିମାନେ ମଧ୍ୟ ବେଶ୍ ଉତ୍ସାହିତ ହେଉଛନ୍ତି । ଶୁକ୍ରବାର ନଗର କ୍ରୀଡ଼ା ଉତ୍ସବର ନବମ ଦିନରେ ଫୁଟବଲ ବିଭାଗରେ ମୋଟ ୩ଟି ଲିଗ୍ ମ୍ୟାଚ୍ ଖେଳାଯାଇଥିଲା।
ରାଉରକେଲା ସ୍ପୋର୍ଟସ୍ ଆସୋସିଏସନ୍ ଓ ରାଉରକେଲା ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଇସ୍ପାତ ଷ୍ଟାଡିୟମ୍ (ସେକ୍ଟର-୬) ପରିସରରେ ଆଜିର ମ୍ୟାଚ୍ ଗୁଡ଼ିକ ଖେଳାଯାଇଥିଲା । ଗ୍ରୁପ ‘ଏ’ ବିଭାଗରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଆଜାଦ୍ କ୍ଳବ୍ (ସେକ୍ଟର-୨୦)କୁ ୟୁନାଇଟେଡ୍ ସ୍ପୋର୍ଟସ୍ କ୍ଳବ୍ (ଜଲଦା) ୨-୦ ଗୋଲରେ ପରାସ୍ତ କରିଥିଲା । ଅପରପକ୍ଷରେ ମ୍ୟୁନିସିପାଲ କଲେଜ ବନାମ ଓ୍ବାଇବିସି ବାନପୋଷ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ନିର୍ଦ୍ଦାରିତ ସମୟ ଶେଷ ସୁଦ୍ଧା ଉଭୟ ଦଳ ୧-୧ ଗୋଲ ସହ ସମାନ ସ୍ଥିତିରେ ରହିଥିଲେ । ଏହାପରେ ଟାଇ ବ୍ରେକର ବା ପେନାଲ୍ଟି ସୁୁଟଆଉଟରେ ବାନପୋଷ ଟିମ୍ ୪-୨ ଗୋଲରେ ବିଜୟୀ ହୋଇଥିଲା ।
ସେହିଭଳି କଳିଙ୍ଗ ସ୍ପୋର୍ଟସ ଫାଉଣ୍ଡେସନ୍ ଓ ରାଉରକେଲା ମହାନଗର ନିଗମ ଆନୁକୂଲ୍ୟରେ ଉଦିତ ନଗର ସ୍ଥିତି ମିନି ଷ୍ଟାଡିୟମ ପରିସରରେ ଗ୍ରୁପ୍ ‘ବି’ ବିଭାଗର ଫୁଟବଲ ମ୍ୟାଚ୍ ଖେଳା ଯାଇଥିଲା । ରାଉରକେଲା ଷ୍ଟିଲ୍ ପ୍ଳାଣ୍ଟ (ବରିଷ୍ଠ) ବାନମ ଓସିଏନ୍ କ୍ଳବ୍ ବନ୍ଧମୁଣ୍ଡା ମଧ୍ୟରେ ଖେଳାଯାଇଥିବା ଆଉ ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚକୁ ପେନାଲ୍ଟି ସୁଟ ଆଉଟରେ (୪-୩ ଗୋଲ) ଆରଏସ୍ପି ଟିମ୍ ବିଜୟୀ ହୋଇଥିଲା । ତେବେ ଦ୍ବିତୀୟ ମ୍ୟାଚ୍ରେ ପ୍ରତିପକ୍ଷ ଦଳ ଅନୁପସ୍ଥିତ ରହିବାରୁ ଭିଏସ୍ଏସ୍ ଛେଣ୍ଡ ଫୁଟବଲ୍ ଟିମ୍କୁ ବିଜୟୀ ଘୋଷିତ କରାଯାଇଥିଲା। ଶନିବାର ଠାରୁ କ୍ବାର୍ଟର ଫାଇନାଲ ମ୍ୟାଚ୍ ଖେଳାଯିବ ।