ରାଉରକେଲା : ରାଷ୍ଟ୍ରପତି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବଣିକ ସଂଘର କର୍ମକର୍ତ୍ତା।। ସ୍ବତନ୍ତ ରେଳ ଡିଭିଜନ ଏବଂ ଆଦର୍ଶ ଷ୍ଟେସନ ଦାବି ଦୋହରାଇଲେ।
ରାଉରକେଲା:୧୬/୧୨(ସତ୍ୟା ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷା, କାରଖାନାର ଅଭିବୃଦ୍ଧି ସହ ରେଳବାଇ ସମ୍ପର୍କିତ ବିଭିନ୍ନ ସମସ୍ୟା ନେଇ ରାଉରକେଲା ବଣିକ ସଂଘର ପ୍ରତିନିଧି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗକୁ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ରାଉରକେଲା ବଣିକ ସଂଘର ସଭାପତି ସୁବ୍ରତ ପଟ୍ଟନାୟକଙ୍କ ନେତୃତ୍ବରେ ସାଧାରଣ ସମ୍ପାଦକ ସୁନୀଲ କାୟଲ, ଉପସଭାପତି ନରେଶ ଆର୍ଯ୍ୟ, ପୂର୍ବତନ ସଭାପତି ସନ୍ତୋଷ ପାରିକ୍ଙ୍କ ସମେତ ସୁଦର୍ଶନ ଗୋଏଲ, ଶୁଭମ୍ କାପୁର, ପ୍ରମୋଦ କୁମାର ନାତୁଲ୍ୟ, ସିଦ୍ଧାର୍ଥ କୋଚାର ଓ ପବନ ବାଗାଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ବଣିକ ସଂଘ ପ୍ରତିନିଧି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀସ୍ଥ କାର୍ଯ୍ୟାଳୟରେ ଭେଟିଥିଲେ। ଶିକ୍ଷାର ମାନବୃଦ୍ଧି ଓ ଉଚ୍ଚ ଶିକ୍ଷା ପାଇଁ ସୁନ୍ଦରଗଡ଼ ବିଶେଷ କରି ରାଉରକେଲାରେ ଏକ୍ସଏଲ୍ଆର୍ଆଇ, ଏକ୍ସଆଇଏମ୍ବି ପରି ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବାକୁ ଅନୁରୋଧ କରିଛନ୍ତି। ଏଥିସହ ସୈନିକ ସ୍କୁଲ ଓ କେନ୍ଦ୍ରୀୟ ବିଦ୍ୟାଳୟ ସଂଖ୍ୟା ବଢ଼ାଇବାକୁ ମଧ୍ୟ କହିଛନ୍ତି। ଇଞ୍ଜିନିୟରିଂ ଶିକ୍ଷା କରୁଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରିବାକୁ ସୁନ୍ଦରଗଡ ଜିଲ୍ଲାରେ କେନ୍ଦ୍ରୀୟ ଯୋଜନାରେ ଦକ୍ଷତା ବିକାଶ କେନ୍ଦ୍ର (ସ୍କିଲ୍ ଡେଭଲପ୍ମେଣ୍ଟ ସେଣ୍ଟର) ଖୋଲିବାକୁ ମଧ୍ୟ କହିଛନ୍ତି। ଇସ୍ପାତ ସହରାଞ୍ଚଳରେ ଅନେକ ପୁରୁଣା ସ୍କୁଲ ଓ ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ହୋଇଯାଇଛି। ଏସବୁ ସ୍କୁଲ ଓ ଶିକ୍ଷାନୁଷ୍ଠାନରେ ଆଇଟି ଓ ସଫଟୱେୟାର କେନ୍ଦ୍ର ଖୋଲାଗଲେ ସ୍ଥାନୀୟ ଅଞ୍ଚଳରେ ବେକାରୀ ଯୁବକ ଯୁବତୀ ବେଶ୍ ଉପକୃତ ହୋଇପାରନ୍ତେ। ପରେ ସଭାପତି ସୁବ୍ରତ ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରତିନିଧି ଦଳ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ବିଭିନ୍ନ ରେଳ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସ୍ମାର୍ଟସିଟି ଓ ଦକ୍ଷିଣ ପୂର୍ବ ରେବଳାଇ ଅଧୀନରେ ରାଉରକେଲା ଷ୍ଟେସନ ପ୍ରମୁଖ ଷ୍ଟେସନ ହୋଇଥିବାରୁ ଏହାକୁ ଅନ୍ୟ ଷ୍ଟେସନ ପରି ଆଦର୍ଶ ଷ୍ଟେସନ କରିବାର ଆବଶ୍ୟକତା ରହିଛି ବୋଲି ସଂଘ ପ୍ରତିନିଧି କହିଛନ୍ତି। ଦୀର୍ଘଦିନ ଧରି ଦାବି ହୋଇ ଆସୁଥିବା ରାଉରକେଲାକୁ ସ୍ବତନ୍ତ୍ର ରେଳ ଡିଭିଜନ କରିବାର ଆବଶ୍ୟକତା ରହିଛି ବୋଲି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି, ରେଳ ଡିଭିଜନ ପାଇଁ ରାଉରକେଲାରେ ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି। ବନ୍ଧମୁଣ୍ଡା ଏଆର୍ଏମ୍ ଅଫିସ୍କୁ ଡିଆର୍ଏମ୍ ଅଫିସ୍ରେ ପରିଣତ କରାଯାଇପାରିବ। ରାଉରକେଲାରେ ରେଳବାଇ କୋଚ୍ କାରଖାନା ପ୍ରତିଷ୍ଠା, ଲାଠିକଟା ଓ କଲୁଙ୍ଗା ଷ୍ଟେସନ ମଧ୍ୟରେ ସ୍ବତନ୍ତ୍ର ଫ୍ରେଟ୍ କରିଡର କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏଥିସହ କଚ୍ଛପ ଗତିରେ ଚାଲିଥିବା ବହୁ ପ୍ରତୀକ୍ଷିତ ତାଳଚେର-ବିମଳାଗଡ ରେଳପଥ ପ୍ରାଥମିକତା ଦେବା ସହ କୋଲକାତା ଓ ରାୟପୁର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି।