ରାଉରକେଲା : ୧୩/୧୨(ସତ୍ୟା ନ୍ୟୁଜ) ଷଷ୍ଠ ଦିନରେ ପହଞ୍ଚିଛି ରାଉରକେଲାର ନଗର କ୍ରୀଡ଼ା ଉତ୍ସବ । ଆଜିର ଦିବସରେ ଫୁଟବଲ ବର୍ଗରେ ଖେଳ ଆରମ୍ଭ ହୋଇଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଳାପାଳ ତଥା ମହାନଗର ନିଗମ କମିଶନର ଡ. ଶୁଭଙ୍କର ମହାପାତ୍ର । ଏହା ସହିତ ଉତ୍ତମ ଖେଳ ପ୍ରଦର୍ଶନ ନେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ପକ୍ଷରେ ଭଲିବଲ୍ର ୨ଟି ସେମିଫାଇନାଲ ମ୍ୟାଚ୍ ମଧ୍ୟ ଆଜି ଖେଳାଯାଇଛି ।
ଉଦତି ନଗର ସ୍ଥିତ ନବ ନିର୍ମିତ ମିନି ଷ୍ଟାଡିୟମରେ ଆଜି ଗ୍ରୁପ ‘ଏ’ର ୨ଟି ଫୁଟବଲ ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ଓଏସଏପି ଫୁଟବଲ୍ କ୍ଳବ୍ ଓ ଦେଓଗାଁ ଟିମ୍ ମୁହାଁମୁହିଁ ହୋଇଥିବା ବେଳେ ଏହାକୁ ୪-୦ ଗୋଲରେ ଜିତି ନେଇଥିଲା ଦେବଗାଁ । ସେହିଭଳି ଗ୍ରୁପ ‘ବି’ର ଅନ୍ୟ ଏକ ମ୍ୟାଚରେ ବୀର ବିର୍ସା(ସେକ୍ଟର -୬) ଟିମକୁ ୬-୦ ଗୋଲରେ ପରାସ୍ତ କରିଛି ବନ୍ଧମୁଣ୍ଡା (ଜୁନିୟର) ଟିମ୍ ।
ଅନ୍ୟ ପକ୍ଷରେ ଇସ୍ପାତ ଷ୍ଟାଡିୟମ୍ (ସେକ୍ଟର-୬) ପରିସରରେ ଖେଳା ଯାଇଥିବା ଗ୍ରୁପ ‘ବି’ ପ୍ରଥମ ମ୍ୟଚରେ ୧-୦ ଗୋଲରେ ଏସ୍ଏନ୍ବି (ସେକ୍ଟର-୧୪) ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ରାଉରକେଲା ଷ୍ଟିଲ ପ୍ଳାଣ୍ଟ (ଜୁନିୟର) ଟିମ୍ ବିଜୟୀ ହୋଇଛି ।
ଭଲିବଲ୍ ବିଭାଗରେ ଆଜି ୨ଟି ସେମିଫାଇନାଲ ମ୍ୟାଚ୍ ଖେଳା ଯାଇଥିଲା । ଗ୍ରୁପ ‘ଏ’ ସେମିଫାଇନାଲ ମ୍ୟାଚରେ ସିଗନେଚର କ୍ଳବ୍ (ଜଗଦା)କୁ ୨୫-୧୭, ୨୫-୧୪,୨୫-୧୦ ପଏଣ୍ଟରେ ପରାସ୍ତ କରି ଇସ୍ପାତ ଷ୍ଟାଡିୟମ୍ (ସେକ୍ଟର-୬) ଫାଇନାଲରେ ପ୍ରବେଶ କରିଛି । ସେହିଭଳି ଅନ୍ୟ ଏକ ମ୍ୟାଚରେ ସିଭିଲ୍ ଚାର୍ଜସକୁ ୨୫-୨୩, ୨୫-୧୪,୨୫-୧୮ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ରାଇଜିଂ କ୍ଳବ୍ । ବୁଧବାର ସିଭିଲ୍ ଟାଉନସିପ ସ୍ଥିତି ଭଲିବଲ୍ ଗ୍ରାଉଣ୍ଡରେ ଏହି ଦୁଇ ସେମିଫାଇନାଲ ବିଜୟୀ ଟିମ୍ଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।