ରାଉରକେଲା : ‘ରନ ଫର ହକି’।।ରବିବାର ସକାଳେ ମିନି ମାରାଥନରେ ଦୌଡ଼ିବ ରାଉରକେଲା।। ପ୍ରଥମ ୧୦ ଜଣଙ୍କୁ ୪୪ ହଜାର ପୁରସ୍କାର ରାଶି।
ରାଉରକେଲା : ୧୩/୧୨(ସତ୍ୟା ନ୍ୟୁଜ) ଆସନ୍ତା ଜାନୁଆରୀ ମାସରେ ରାଉରକେଲାରେ ଆୟୋଜିତ ହେବ ଅନ୍ତର୍ଜାତୀୟ ପୁରୁଷ ହକି ବିଶ୍ବକପ୍ ୨୦୨୩ । ଏ ନେଇ ଷ୍ଟିଲ୍ ସିଟିରେ ଏକ ଉତ୍ସବର ମାହୋଲ ସୃଷ୍ଟି କରିବା ଏବଂ ଅତ୍ୟନ୍ତ ହର୍ଷ ଉଲ୍ଲାସର ସହ ହକି ବିଶ୍ବକପ୍ ୨୦୨୩କୁ ସ୍ବାଗତ କରିବା ପାଇଁ ରାଉରକେଲା ମହାନଗର ନିଗମ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ରମରେ ରାଉରକେଲାରେ ପୂର୍ବରୁ ସଫଳତାର ସହ ‘ପଥୋତ୍ସବ’ ଅନୁଷ୍ଠିତ ହୋଇସାରିଥିବା ବେଳେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ନଗର କ୍ରୀଡ଼ା ଉତ୍ସବ ଆୟୋଜିତ ହେଉଛି । ଫଳରେ ସହରରେ ଏକ ଉତ୍ସବର ମାହୋଲ ସୃଷ୍ଟି ହୋଇପାରିଛି । ଏହା ସହିତ ସହରବାସୀଙ୍କୁ କ୍ରୀଡ଼ା ମନସ୍କ କରିବାରେ ଅନେକ ମାତ୍ରାରେ ସଫଳ ହୋଇପାରିଛି ରାଉରକେଲା ମହାନଗର ନିଗମ । ଏହି ଧାରାକୁ ଆଗକୁ ନେବାକୁ ସହରରେ ‘ରନ ଫର୍ ହକି’ (ମିନି ମାରାଥନ)ର ଆୟୋଜନ କରିବାକୁ ଯାଉଛି ରାଉରକେଲା ମହାନଗର ନିଗମ । ଆସନ୍ତା ରବିବାର ଏହି ୧୦ କିଲୋମିଟର ବ୍ୟାପୀ ମାରାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ବିଭିନ୍ନ ବର୍ଗର ଲୋକ ଯୋଗ ଦେଇ ଏହାକୁ ସଫଳ କରିବାକୁ ଆହ୍ବାନ ଦେଇଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡ. ଶୁଭଙ୍କର ମହାପାତ୍ର ।
ଆସନ୍ତା ରବିବାର ସକାଳ ସାଢ଼େ ୭.୩୦ ଟାରୁ ଏହି ମିନି ମାରାଥନ୍ କାର୍ଯ୍ୟକ୍ରମ ଆରମ୍ଭ ହେବ । ରିଂ ରୋଡ଼ର ମୁନିସିପାଲ କଲେଜ ଛକଠାରୁ ଏହା ଆରମ୍ଭ ହୋଇ ରାଉରକେଲା କ୍ଲବ୍ ନିକଟରେ ଶେଷ ହେବ । ଉଭୟ ମହିଳା ଏବଂ ପୁରୁଷ ବର୍ଗରେ ଏହି ମାରାଥନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ‘ରନ ଫର ହକି’ ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କା, ଦ୍ବିତୀୟ ସ୍ଥାନ ଅଧିକାରୀ କରିଥିବା ବ୍ୟକ୍ତିଙ୍କୁ ସାଢ଼େ ୧୨ ହଜାର ଟଙ୍କା ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯିବ । ଏହା ସହିତ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ଅନ୍ୟ ୭ ଜଣଙ୍କୁ ୧ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ଏହି ଆର୍ଥିକ ପୁରସ୍କାର ଉଭୟ ମହିଳା ଓ ପୁରୁଷ ବର୍ଗରେ ପ୍ରଦାନ କରାଯିବା ସହ ମାନପତ୍ର ପ୍ରଦାନ କରାଯିବ । ଏତଦ ବ୍ୟତୀତ ମିନି ମାରାଥନ୍ ପୂରା କରିଥିବା କିଛି ଛୋଟ ଛୁଆ ଏବଂ ଭେଟେରାନଙ୍କୁ ମଧ୍ୟ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯିବ । ଏହି ‘ରନ୍ ଫର ହକି’ ମାରାଥନରେ ଭାଗ ନେବାକୁ ଇଚ୍ଛୁକ ସହରବାସୀ ରବିବାର ସକାଳ ୬ଟାରୁ ୭ଟା ମଧ୍ୟରେ ମୁନିସିପାଲ କଲେଜ ଛକଠାରେ ସେମାନଙ୍କ ନାମ ପଞ୍ଜୀକରଣ କରିପାରିବେ ।