ରାଉରକେଲା : ନଗର କ୍ରୀଡା ଉତ୍ସବର ଚତୁର୍ଥ ଦିନ।। ମୁନିସିପାଲ କଲେଜ ଏବଂ ପ୍ରଗତି ଉତ୍କଳ ସଙ୍ଗଠନ ଚମ୍ପିଅନ ।

0 249

ରାଉରକେଲା : ୧୧/୧୨(ସତ୍ୟା ନ୍ୟୁଜ) ଚତୁର୍ଥ ଦିନରେ ପହଞ୍ଚିଛି ରାଉରକେଲା ନଗର କ୍ରୀଡ଼ା ଉତ୍ସବ। ଆଜିର ଦିବସରେ ଖୋ ଖୋ ଓ ହକିର ଫାଇନାଲ ମ୍ୟାଚ ଖେଳା ଯାଇଥିବା ବେଳେ ଭଲିବଲର ଲିଗ ପର୍ଯ୍ୟାୟ ଖେଳ ଆରମ୍ଭ ହୋଇଛି । ଆଜି ଖେଳାଯାଇଥିବା ସମସ୍ତ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ କମିଶନର ଡ. ଶୁଭଙ୍କର ମହାପାତ୍ର ଯୋଗ ଦେଇ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ତମ ଖେଳ ପ୍ରଦର୍ଶନ ନେଇ ଉତ୍ସାହିତ କରିଥିଲେ । ରାଉରକେଲାରେ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ବକପ୍‌ ପରିପ୍ରେକ୍ଷୀରେ ସହରବାସୀଙ୍କୁ କ୍ରୀଡ଼ା ମନସ୍କ କରିବା ନେଇ ନଗର କ୍ରୀଡ଼ା ଉତ୍ସବର ଆୟୋଜନ କରାଯାଉଛି । ଏହି ଉତ୍ସବରେ ଭାଗ ନେବା ନେଇ ବିଭିନ୍ନ ଦଳମାନଙ୍କ ଉତ୍ସାହ ଓ କ୍ରୀଡ଼ାପ୍ରେମୀଙ୍କ ଗହଳି ଦେଖି ଏହି ଉଦ୍ଦେଶ୍ୟ ପୂରଣ ହେଉଥିବା କହିଛନ୍ତି ଶ୍ରୀ ମହାପାତ୍ର ।
ସ୍ଥାନୀୟ ଏସ‌କେ ଡିଏଭି ପଲିଟେକନିକ୍ ପରିସରରେ ପାନପୋଷ କ୍ରୀଡ଼ା ସଂଗଠନ ଓ ରାଉରକେଲା ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଖୋ ଖୋ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଆଜିର ଖୋ ଖୋ ଫାଇନାଲ ମ୍ୟାଚ‌ରେ ମୁହାଁମୁହିଁ ହୋଇଥିଲେ ପ୍ରଗତି ଉତ୍କଳ ସଂଗଠନ ଓ ମୁନିସିପାଲ କଲେଜ । ଏହି ମ୍ୟାଚରେ ମ୍ୟୁନିସିପାଲ କଲେଜକୁ ୦୩-୧୧ ପଏଣ୍ଟରେ ପରାସ୍ତ କରି ପ୍ରଗତି ଉତ୍କଳ ସଂଗଠନ ଟୁର୍ଣ୍ଣାମେଣ୍ଟ ଚାମ୍ପିଅନ୍ ହୋଇଛି। ସେହିଭଳି ଆଜି ଖେଳା ଯାଇଥିବା ହକି ଫାଇନାଲ ମ୍ୟାଚରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଟିମକୁ ୨-୧ ଗୋଲରେ ପରାସ୍ତ କରି ବିଜେତା ହୋଇଛି ରାଉରକେଲା ମ୍ୟୁନିସିପାଲ କଲେଜ ।
ଅନ୍ୟପକ୍ଷରେ ଆଜି ଭଲିବଲ୍‌ ବିଭାଗରେ ମୋଟ ୪ଟି ମ୍ୟାଚ୍‌ ଖେଳାଯାଇଛି । ଉଭୟ ରାଇଜିଂ କ୍ଳବ୍‌ ଓ ସିଭିଲଟାଉନସିପି ସ୍ଥିତ ଭଲିବଲ୍‌ ଗ୍ରାଉଣ୍ଡରେ ଆଜିର ମ୍ୟାଚ୍‌ ଖେଳାଯାଇଥିଲା । ରାଇଜିଂ କ୍ଲବ ଠାରେ ଅନୁଷ୍ଠିତ ହୋଇଥିବା ଗ୍ରୁପ୍ “ଏ”ରେ ଡିଏଭି ପବ୍ଳିକ୍‌ ସ୍କୁଲ ବିପକ୍ଷ ମ୍ୟାଚ୍‌କୁ ୨୫-୧୭, ୨୫-୨୧ ସେଟରେ ଜିତି ନେଇଛି ବାଲୁଘାଟ ଟିମ୍‌ । ସେହିଭଳି ଇଣ୍ଡିଆନ୍‌ କ୍ଳବ୍‌ ବିପକ୍ଷ ମ୍ୟାଚ‌କୁ ୨୫-୬, ୨୫-୮ ପଏଣ୍ଟରେ ଇସ୍ପାତ ଷ୍ଟାଡିୟମ୍‌ (ସେକ୍ଟର-୬) ଜିତିନେଇଛି । ସେହିପରି ସିଭିଲ ଟାଉନସିପଠାରେ ଅନୁଷ୍ଠିତ ଗ୍ରୁପ୍ “ବି”ର ପ୍ରଥମ ମ୍ୟାଚରେ ମିରାକଲ୍‌ ବନ୍ଧୋମୁଣ୍ଡାକୁ ୨୫-୨୩, ୨୫-୨୧ ପଏଣ୍ଟରେ ପରାସ୍ତ କରିଛନ୍ତି ରାଇଜିଂ କ୍ଳବ୍‌ । ଦିତୀୟ ମ୍ୟାଚ‌ ସିଭିଲ ଚାର୍ଜସ୍‌ ଓ ବିଆର ଆମ୍ବେଦକର ଜଲଦା ମଧ୍ୟରେ ଖେଳାଯାଇଥିବା ବେଳେ ୨୫-୧୫, ୨୩-୨୫, ୧୫-୫ ପଏଣ୍ଟରେ ସିଭିଲ୍‌ ଚାର୍ଜସ୍ ବିଜୟୀ ହୋଇଛି ।

Leave A Reply

Your email address will not be published.