ରାଉରକେଲା : ହକି ବିଶ୍ୱକପ ପୂର୍ବରୁ ନଗର କ୍ରୀଡା ମହୋତ୍ସବର ତୃତୀୟ ଦିନ।। ଡିଏଭି ପବ୍ଲିକ ସ୍କୁଲ ଏବଂ ମୁନିସିପାଲ କଲେଜ ଚମ୍ପିୟାନ।
ରାଉରକେଲା : ୧୦/୧୨(ସତ୍ୟା ନ୍ୟୁଜ) ତୃତୀୟ ଦିନରେ ପହଞ୍ଚିଛି ରାଉରକେଲା ନଗର କ୍ରୀଡ଼ା ଉତ୍ସବ । ଆଜିର ଦିନରେ କବାଡ଼ିର ଉଭୟ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ଖେଳାଯାଇଥିବା ବେଳେ ହକିର ଦୁଇଟି ମ୍ୟାଚ୍ ଖେଳାଯାଇଥିଲା । କବାଡ଼ିର ବରିଷ୍ଠ ବାଳକ ବିଭାଗରେ ମ୍ୟୁନିସିପାଲ କଲେଜ ସିନିୟର ଚାମ୍ପିଅନ୍ ହୋଇଥିବା ବେଳେ ଉଭୟ କନିଷ୍ଠ ବାଳକ ଓ ବାଳିକା ବିଭାଗରେ ଡିଏଭି ପବ୍ଳିକ୍ ସ୍କୁଲ ବିଜେତା ହୋଇଛନ୍ତି ।
ଇସ୍ପାତ ଇନଡୋର ଷ୍ଟାଡିୟମ୍ ପରିସରରେ ରାଉରକେଲା ଓ ସୁନ୍ଦରଗଡ଼ କବାଡ଼ି ଡେଭଲପମେଣ୍ଟ ସୋସାଇଟି ଏବଂ ରାଉରକେଲା ମହାନଗର ନିଗମର ମିଳିତ ଆନୁକୂଲ୍ୟରେ ଏହି କବାଡ଼ି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ବରିଷ୍ଠ ବାଳକ ବିଭାଗର ଫାଇନାଲ ମ୍ୟାଚରେ ମ୍ୟୁନିସିପାଲ କଲେଜ (ସିନିୟର) ଓ ମ୍ୟୁନିସିପାଲ (ଜୁନିଅର) ମୁହାଁମୁହିଁ ହୋଇଥିବା ବେଳେ ୨୪-୫୧ ପଏଣ୍ଟରେ ବିଜୟୀ ହୋଇଛି ସିନିୟର ଟିମ୍ । ସେହିଭଳି କନିଷ୍ଠ ବାଳକ ବିଭାଗରେ ଗୁରୁନାନକ ପବ୍ଳିକ୍ ସ୍କୁଲ, ଡିଏଭି ପବ୍ଳିକ୍ ସ୍କୁଲ ଠାରୁ ୪୫-୩୧ ପଏଣ୍ଟରେ ପରାସ୍ତ ହୋଇ ଉପ ବିଜେତା ହୋଇଛି । ଅନ୍ୟ ପକ୍ଷରେ ବାଳିକା ବିଭାଗରେ ନୀଳଶୈଳ ମହାବିଦ୍ୟାଳୟକୁ ୨୯-୩୮ ପଏଣ୍ଟରେ ପରାସ୍ତ କରିଛି ଡିଏଭି ପବ୍ଳିକ୍ ସ୍କୁଲ । ଆଜିର ଫାଇନାଲ ମ୍ୟାଚରେ ବରିଷ୍ଠ ବାଳକ ବିଭାଗର ଆୟୁଷ ଦାଶ, କନିଷ୍ଠ ବାଳକ ବିଭାଗରେ ରାଜ କୁମାର ଲାକ୍ରା ଓ ବାଳିକା ବିଭାଗରେ ସୁମିତ୍ରା ମୁଣ୍ଡାରୀ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ୩ଟି ଯାକ ବର୍ଗର ବିଜେତା ଟିମକୁ ୩୦ ହଜାର ଟଙ୍କା ଓ ଉପ ବିଜେତା ଟିମକୁ ୨୦ ହଜାର ଟଙ୍କାର ଆର୍ଥିକ ରାଶି ଓ ଟ୍ରଫି ଆସନ୍ତା ୨୧ ତାରିଖ ଅନୁଷ୍ଠିତ ହେବାକୁ ଥିବା ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ପ୍ରଦାନ କରାଯିବ ।
ଅନ୍ୟ ପକ୍ଷରେ ଆଜି ଖେଳାଯାଇଥିବା ହକି ମ୍ୟାଚରେ ବିଜୟ କ୍ଳବ୍ (ଜଗଦା)କୁ ୧-୪ ଗୋଲରେ ପରାସ୍ତ କରିଛି ରାଇଜିଂ ଷ୍ଟାର । ସେହିଭଳି ସରକାରୀ ଆଇଟିଆଇ ବିପକ୍ଷ ମ୍ୟାଚକୁ ୦-୩ ଗୋଲରେ ଜିତି ନେଇଛି ଶାନ୍ କ୍ଳବ୍ । ତେବେ ରବିବାର ଏସକେ ଡିଏଭି ପଲିଟେକନିକ୍ ପରିସରରେ ସକାଳ ୯ଟାରେ ଖୋ ଖୋ ଏବଂ ଭଲିବଲ୍ ଗ୍ରାଉଣ୍ଡ, ସିଭିଲଟାଉନ୍ ସିପ ଓ ରାଇଜିଂ କ୍ଳବ୍ ପରିସରରେ ସନ୍ଧ୍ୟା ୫ଟାରୁ ଭଲିବଲ୍ ବିଭାଗରେ ଖେଳ ଆରମ୍ଭ ହେବ । ସେହିଭଳି ରାଜ୍ୟ କ୍ରୀଡ଼ାଛାତ୍ରାବାସ ପାନପୋଷ ପରିସରରେ ହକିର ଫାଇନାଲ ମ୍ୟାଚ୍ ଖେଳାଯିବ ।