ରାଉରକେଲା : ରାଉରକେଲା-ବନ୍ଧମୁଣ୍ଡା ରାସ୍ତା ମରାମତି ଦାବିରେ ସାଧାରଣ ଲୋକ ରାଜରାସ୍ତାରେ।। ଉପଜିଲ୍ଲାପାଳ ଙ୍କୁ ଦେଲେ ସ୍ମାରକପତ୍ର।
ରାଉରକେଲା-ବନ୍ଧମୁଣ୍ଡା ରାସ୍ତାର ଜର୍ଜର ଅବସ୍ଥା ଯୋଗୁଁ ବିଶ୍ରା , ଜରେଇକେଲା , ବନ୍ଧମୁଣ୍ଡା ଲୋକଙ୍କ ଦୁର୍ଦ୍ଦଶା ବଢିଯାଇଛି। ରାସ୍ତା ମଝିରେ ଏବଂ ଉଭୟ ପାର୍ଶ୍ୱରେ ବଡ଼ ବଡ଼ ଗର୍ତ୍ତ ହୋଇଥିବା ବେଳେ ଏଥିରେ ସବୁବେଳେ ପାଣି ଭର୍ତ୍ତି ହୋଇ ରହୁଛି। ଫଳରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି। ଏହି ରାସ୍ତାର ଶୀଘ୍ର ମରାମତି ଦାବିରେ ଗତକାଲି କଂଗ୍ରେସ ଦଳ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଆଜି ବନ୍ଧମୁଣ୍ଡା ଅଞ୍ଚଳର ସାଧାରଣ ଲୋକ ମାନେ ରାସ୍ତା ମରାମତି ଦାବିରେ ରାଜରାସ୍ତାକୁ ଓଲ୍ଲାଇ ଛନ୍ତି। ଆଜି ବନ୍ଧମୁଣ୍ଡାରୁ ଶତାଧିକ ଲୋକ ୧୦ କିଲୋମିଟର ଦୂର ଚାଲି ଚାଲି ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଶୀଘ୍ର ରାସ୍ତା ମରାମତି ଦାବିରେ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ରାସ୍ତାର ବିଭିନ୍ନ ସ୍ଥାନରେ ପଥ ପ୍ରାନ୍ତ ସଭା ମଧ୍ୟ କରିଥିଲେ।
ରାଉରକେଲାରୁ ଯାଇଥିବା ଏହି ରାସ୍ତା ବନ୍ଧମୁଣ୍ଡା , ବିଶ୍ରା ଦେଇ ଝାରଖଣ୍ଡ ଯାଇଛି। ବଡ଼ବିଲ କୁ ମଧ୍ୟ ଏହି ରାସ୍ତାରେ ଦେଇ ଯିବା ଆସିବା ହୁଏ। ଫଳରେ ପ୍ରତ୍ୟହ ଏହି ରାସ୍ତା ଦେଇ ଶହଶହ ଗାଡି ମଟର ଯିବା ଆସିବା କରିଥାଏ। ମାତ୍ର ଖରାପ ରାସ୍ତା ଯୋଗୁଁ ଯାତ୍ରୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପ୍ରତିକାର ହେଉ ନଥିବା ଅଭିଯୋଗ ହେଉଛି। ଏବେ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ରାସ୍ତାର କିଛି ଅଂଶ ଚଳିତ ମାସ ମଧ୍ୟରେ ସାରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି।