ରାଉରକେଲା : ହକି ବିଶ୍ୱକପ ପୂର୍ବରୁ ନଗର କ୍ରୀଡା ଉତ୍ସବ ଆରମ୍ଭ।। ସହର ବିଭିନ୍ନ ଷ୍ଟାଡିଅମରେ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ।।
ଆସନ୍ତା ଜାନୁଆରୀ ମାସରେ ପୁରୁଷ ହକି ବିଶ୍ବକପର ଆୟୋଜନ କରିବାକୁ ଯାଉଛି ଇସ୍ପାତ ନଗରୀ ରାଉରକେଲା । ଏହା ପୂର୍ବରୁ ସହରବାସୀଙ୍କୁ କ୍ରୀଡ଼ାମୁଖୀ କରିବା ଉଦ୍ଦେଶ୍ୟରେ ସହରରେ ଆଜି ଠାରୁ ଆରମ୍ଭ ହୋଇଛି ନଗର କ୍ରୀଡ଼ା ଉତ୍ସବ। ଏ ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ପୂର୍ବରୁ ରାଉରକେଲା ମହାନଗର ନିଗମ କମିଶନର ଡକ୍ଟର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ କ୍ରୀଡ଼ାବିତ ଏବଂ କ୍ରୀଡ଼ା ସଂଗଠନ କର୍ମକର୍ତ୍ତାଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସେହି କ୍ରମରେ ଆଜି ଠାରୁ ଆରମ୍ଭ ହୋଇଥିବା ଏହି କ୍ରୀଡା ଉତ୍ସବ ୨୧ ତାରିଖ ପର୍ଯ୍ୟନ୍ତ ସହର ବିଭିନ୍ନ ଖେଳପଡ଼ିଆ ଏବଂ ଇନଡୋର ଷ୍ଟାଡିୟମରେ ଚାଲିବ। ଗୁରୁବାର ଦିନ ହକି ଏବଂ କବାଡି ଖେଳ ଆରମ୍ଭ ହୋଇଛି। ପାନପୋଷ ରାଜ୍ୟ ସ୍ପୋର୍ଟସ ହଷ୍ଟେଲ ରେ ଆୟୋଜିତ ହକି ଖେଳରେ ମୁଖ୍ୟ ଅତିଥି ଭାବେ ମହାନଗର ନିଗମ ଡେପୁଟି କମିଶନର ସୁଧାଂଶୁ ଭୋଇ ଯୋଗ ଦେଇଥିଲେ। ୨୦ ନମ୍ବର ସେକ୍ଟର ଇନଡୋର ଷ୍ଟାଡିଅମ ରେ କବାଡି ଖେଳ ହେଉଛି। ଏହି ସବୁ ଖେଳରେ ସ୍ଥାନୀୟ କ୍ରୀଡ଼ାବିତ ମାନେ ସାମିଲ ହୋଇଛନ୍ତି।
ଜିଲ୍ଲାରେ କ୍ରୀଡା ମହୋତ୍ସବର ମାହୋଲ ସୃଷ୍ଟି କରିବାକୁ ମଧ୍ୟ ଆରମ୍ଭ ହୋଇଛି ବ୍ଲକ ଏବଂ ପଞ୍ଚାୟତ ସ୍ତରୀୟ କ୍ରୀଡା ଉତ୍ସବ।