ରାଉରକେଲା : ଶିଶୁ ବିକ୍ରି ଅଭିଯୋଗର ବିଧିବଦ୍ଧ ତଦନ୍ତ ଆରମ୍ଭ।। ଶିଶୁକୁ ନେଇଥିବା ଦମ୍ପତ୍ତି ଘରେ ତାଲା ପକାଇ ଫେରାର।

0 186

ରାଉରକେଲା: ୮/୧୨(ସତ୍ୟା ନ୍ୟୁଜ) ରାଉରକେଲା ସରକାରୀ ହସପିଟାଲରେ ଜନ୍ମିତ ନବଜାତ ଶିଶୁ ବିକ୍ରି ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଆଜି ଶିଶୁ ମଙ୍ଗଳ ସମିତି ବିକ୍ରି ହୋଇଥିବା ଶିଶୁକୁ ଉଦ୍ଧାର ଲାଗି ପୋଲିସ କୁ ଲିଖିତ ରିପୋର୍ଟ ଦେଇଛନ୍ତି। ଗତକାଲି ଚାଇଲ୍‌ଡ ଲାଇନ୍‌ ଟିମ୍‌ ଓ ଉଦିତନଗର ପୁଲିସ ଆର୍‌ଏମ୍‌ସି ସମ୍ମୁଖ ବସ୍ତିରେ ଚଢ଼ଉ କରିଥିଲେ। କିନ୍ତୁ ଶିଶୁକୁ ନେଇଥିବା ଦମ୍ପତି ନବଜାତ ଶିଶୁକୁ ଧରି ଘରୁ ଫେରାର ହୋଇଯାଇଛନ୍ତି। ଘରେ ତାଲା ଝୁଲୁଥିବାରୁ ଉଭୟ ପୁଲିସ ଓ ଚାଇଲ୍‌ଡ ଲାଇନ ଟିମ୍‌ ଫେରି ଆସିଛନ୍ତି। ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜକାନ୍ତି ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନାଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ‌ଏହି ବେଆଇନ କାରବାରରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ସୁପାରିସ କରିଛନ୍ତି। ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା କହିଛନ୍ତି, ଆଜି ଉଦିତନଗର ଆର୍‌ଏମ୍‌ସି ସମ୍ମୁଖ ବସ୍ତିରେ ନବଜାତ ଶିଶୁକୁ ଠାବ କରାଯାଇଛି। ଆର୍‌ଜିଏଚ୍‌ରୁ ନବଜାତ ଶିଶୁକୁ ଆଣିଥିବା ମହିଳା ଜଣଙ୍କ ସ୍ବୀକାର କରିଛନ୍ତି ବୋଲି ଚାଇଲ୍‌ଡ ଲାଇନ୍‌ ଟିମ୍‌ର ଗଜଲା ପରବିନ୍‌ କହିଛନ୍ତି। ସେ କହିଛନ୍ତି, ତାଙ୍କ ନେତୃତ୍ବରେ ଦୁଇ ଜଣିଆ ଚାଇଲ୍‌ଡ ଲାଇନ୍‌ ଟିମ୍‌ ମହିଳାଙ୍କ ଘରେ ପହଞ୍ଚିଥିଲେ। ମହିଳାଙ୍କ କୋଳରେ ନବଜାତ ଶିଶୁଟିକୁ ଦେଖିବାକୁ ପାଇଥିଲେ। ପଚରାଉଚୁରା ସମୟରେ ମହିଳା ଜଣକ ନବଜାତ ଶିଶୁକୁ ଆର୍‌ଜିଏଚ୍‌ରୁ ଆଣିଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି। ପରେ ମହିଳା ଜଣକ ପଡୋଶୀ ଘରୁ ଆସୁଛି ବୋଲି ବାହାନା କରି ଘରେ ତାଲା ମାରି ଚାଲିଯାଇଥିଲେ। ଆଉ ଘରକୁ ଫେରି ନଥିଲେ।
ଉଲ୍ଲେଖଯୋଗ୍ୟଯେ , ଉଦିତନଗର ବସ୍ତିର ଜଣେ ଗର୍ଭବତୀ ମହିଳା ଗତ ୧ ତାରିଖରେ ଆର୍‌ଜିଏଚ୍‌ରେ ଭର୍ତ୍ତି ହୋଇଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ନବଜାତର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତା’କୁ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରାଯାଇଥିଲା। ରାତି ପ୍ରାୟ ସାଢ଼େ ୭ଟାରେ ନବଜାତ ଶିଶୁପୁତ୍ରର ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକ ମୃତ ଶିଶୁକୁ ନେଇ ନିଜ ବସ୍ତି ଇଲାକାରେ ପୋତି ଦେଇଥିଲେ। ଆର୍‌ଜିଏଚ୍‌କୁ ପଡ଼ୋଶୀ ଝାଡ଼ଖଣ୍ଡର ସୀମାବର୍ତ୍ତୀ ଅନେକ ଗାଁରୁ ବହୁ ରୋଗୀ ଆସନ୍ତି। ସେହି କ୍ରମରେ ସେହି ସମାନ ୱାର୍ଡରେ ଝାଡ଼ଖଣ୍ଡ ମନୋହରପୁର ଆନନ୍ଦପୁର ଅଞ୍ଚଳର ଜଣେ ଗର୍ଭବତୀ ମହିଳା ନଭେମ୍ବର ୨୯ରେ ଭର୍ତ୍ତି ହୋଇଥିଲେ। ସେହିଦିନ ହିଁ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କୁ ୩୦ ତାରିଖରେ ଡିସ୍‌ଚାର୍ଜ କରାଯାଇଥିଲା। କିନ୍ତୁ କୌଣସି କାରଣବଶତଃ ସେହିଦିନ ସେ ଡାକ୍ତରଖାନାରୁ ଯାଇ ପାରି ନଥିଲେ। ପରଦିନ ସନ୍ଧ୍ୟାରେ ସେହି ୱାର୍ଡରେ ମୃତ୍ୟୁବରଣ କରିଥିବା ନବଜାତ ପୁତ୍ର ସନ୍ତାନର ମା’ ଓ ତାଙ୍କ ସ୍ବାମୀ ଝାଡ଼ଖଣ୍ଡର ଉକ୍ତ ମହିଳାଙ୍କୁ ନବଜାତ ପୁତ୍ର ସନ୍ତାନକୁ ବିକ୍ରି କରିବାକୁ ଟଙ୍କାର ଲୋଭ ଦେଖାଇଥିବା କୁହାଯାଉଛି। ମୂଲଚାଲ ପରେ ଟଙ୍କା ପଇସା କାରବାର ହୋଇ ଶିଶୁ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ଏବେ ନବଜାତ ଶିଶୁ ଏବଂ ଶିଶୁକୁ ନେଇଥିବା ଦମ୍ପତିଙ୍କୁ ଠାବ କରିବାକୁ ଉଦ୍ୟମ କରାଯାଉଛି।

Leave A Reply

Your email address will not be published.