ଗୋଆ : ଓଡ଼ିଆ ସିନେମା ‘ପ୍ରତୀକ୍ଷା’ ର ହିନ୍ଦୀ ରିମେକ କରିବେ ଅନୁପମ ଖେର।। ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ରେ କଲେ ଏହି ଘୋଷଣା।
ସିନେ ଅଭିନେତା ଅନୁପମ ଖେର ଓଡିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ର ହିନ୍ଦୀ ରିମେକ୍ କରିବାକୁ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ର ର କାହାଣୀ ପିତା-ପୁତ୍ର ସମ୍ପର୍କର ଗତିଶୀଳତାକୁ ଦର୍ଶାଉଛି।
‘ପ୍ରତୀକ୍ଷା’ର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ କହିଛନ୍ତି ଯେ ଶ୍ରୀ ଖେରଙ୍କ ସିନେମାର ରିମେକ ଘୋଷଣା ର ମୁହୂର୍ତ୍ତ ସେମାନଙ୍କ ପାଇଁ ଏବଂ ଓଡିଶାବାସୀଙ୍କ ପାଇଁ ବଡ଼ କଥା।
ବୁଧବାର ଦିନ ଗୋଆ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ କାର୍ଯ୍ୟକ୍ରମରେ ଏହି ଘୋଷଣା କରାଯାଇଥିଲା। ଅନୁପମ ଖେର ଓଡିଆ ଚଳଚ୍ଚିତ୍ରର ଟିମ୍ ସହିତ କାର୍ଯ୍ୟକ୍ରମରେ ସାମିଲ ଥିଲେ।
ଅନୁପମ ଖେର ଘୋଷଣା କରିଛନ୍ତି ଯେ ସେ ଓଡ଼ିଆ ସିନେମା ‘ପ୍ରତିକ୍ଷା’ କୁ ହିନ୍ଦୀରେ ତିଆରି କରିବେ। ଏହି ରିମେକ ସିନେମାରେ ସେ ପିତାଙ୍କ ଭୂମିକାରେ ଅଭିନୟ କରିବେ। ସେ ଫିଲ୍ମର ଅଧିକାର ପାଇଁ ଅନୁପମ ପଟ୍ଟନାୟକଙ୍କୁ ଏକ ଟୋକନ୍ ସାଇନ୍ ରାଶି ପ୍ରଦାନ ମଧ୍ୟ କରିଥିଲେ |
ଲେଖକ ଗୌରହରି ଦାସଙ୍କ ଏକ କ୍ଷୁଦ୍ର ଗଳ୍ପ ଦ୍ୱାରା ଅନୁପ୍ରାଣିତ ଏହି ସିନେମା। କାହାଣୀ ଏକ ମଧ୍ୟବିତ୍ତ ପରିବାରର ଯୁବକ ସଞ୍ଜୟଙ୍କ ଉପରେ ଆଧାରିତ। ସଞ୍ଜୟ ସରକାରୀ ଚାକିରି ଖୋଜୁଛି। ପିତା ବିପିନ ଅବସର ଗ୍ରହଣ କରିବାର କିଛି ମାସ ପୂର୍ବରୁ କହିଛନ୍ତି ଯେ ପରିବାରର ଉପରେ ଋଣ ବୋଝ ଥିବାରୁ ପରିବାରର ଜଣେ ସଦସ୍ୟ ଚାକିରୀ କରିବା ଉଚିତ। ବିପିନ ଦୁରାରୋଗ ଆକ୍ରାନ୍ତ ହୋଇଥିଲେ। ସଞ୍ଜୟ ସରକାରଙ୍କ ଅନୁକମ୍ପା ନିଯୁକ୍ତିର ଯୋଜନା ବିଷୟରେ ଶୁଣିଥିଲେ। ଯେଉଁଠାରେ ପରିବାର ର ଜଣେ ସଦସ୍ୟ ମୃତ ସରକାରୀ କର୍ମଚାରୀଙ୍କ ଚାକିରି ପାଇଥାନ୍ତି। ଅନ୍ୟ ଆଡେ ଚାକିରୀ ନପାଇ ହତାଶ ସଞ୍ଜୟ ପିତାଙ୍କ ମୃତ୍ୟୁକୁ ଅପେକ୍ଷା କରନ୍ତି | ଏହା ଚଳଚ୍ଚିତ୍ର କାହାଣୀ। ବିଶେଷକରି ଜଣେ ପିତା ଏବଂ ପୁଅ ମଧ୍ୟରେ ଥିବା ଜଟିଳ ସମ୍ପର୍କ ବିଷୟରେ |