ସୁନ୍ଦରଗଡ : ଜିଲ୍ଲାରେ ଖୋଲିଲା ଆଉ ତିନୋଟି ସମନ୍ବିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର।

0 314

ସୁନ୍ଦରଗଡ଼:୨୧/୧୧(ସତ୍ୟା ନିୟୁଜ) ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମାଞ୍ଚଳର ରୋଗୀମାନଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇଦେବା ଲାଗି ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ଖୋଲାଯାଉଛି। ସୋମବାର ଦିନ ଜିଲ୍ଲାର କୁତ୍ରା ଏବଂ କୁଆରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ନୂଆଗାଁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ଏହା ଖୋଲାଯାଇଛି।

ଏହି ନୂତନ କେନ୍ଦ୍ରକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଉଦଘାଟନ କରିଛନ୍ତି। ଏହି ଚିକିତ୍ସା କେନ୍ଦ୍ରକୁ ଭିନ୍ନକ୍ଷମ ବ୍ୟକ୍ତି ଏବଂ ଜରାଗ୍ରସ୍ତ ବରିଷ୍ଠ ନାଗରିକଙ୍କୁ ମାଗଣାରେ ନେବା ଆଣିବା ଲାଗି ଇ-ଆମ୍ବୁଲାନ୍ସ ସେବାର ମଧ୍ୟ ଶୁଭାରମ୍ଭ କରାଯାଇଛି।

ପୂର୍ବରୁ ଜିଲ୍ଲାରେ ୧୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ରହିଥିଲା। ଏବେ ଆଉ ୩ଟି କେନ୍ଦ୍ର ଯୋଡ଼ି ହେବା ଫଳରେ ଏହି ସଂଖ୍ୟା ୧୭ରେ ପହଞ୍ଚିଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରର ନୋଡାଲ ଅଫିସର ଡାକ୍ତର ସିଏମ ଶଙ୍କରଙ୍କ ସହ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ ଓ ମେଡିକାଲ ଅଫିସର ପ୍ରମୁଖ ଯୋଗ ଦେଇଥିଲେ।

ସେହିପରି କୁତ୍ରା ଖଇରତୁଲାସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଲୋକାର୍ପଣ କରାଯାଇଛି। ଏଠାରେ ଜଣେ ଡାକ୍ତର, ଫାର୍ମାସିଷ୍ଟ ଓ ଆଟେଣ୍ଡାଣ୍ଟଙ୍କୁ ନିଯୁକ୍ତ କରାଯାଇଛି। ଗ୍ରାମାଞ୍ଚଳରେ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ମୋଟ ୬୦ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରହିଛି।

Leave A Reply

Your email address will not be published.