ଲେପ୍ରୋସି କଲୋନୀର 124 ଜଣଙ୍କୁ ମିଳିଲା ବିଭିନ୍ନ ଉପକରଣ ।

0 308

ରାଉରକେଲା ସହରର ବିଭିନ୍ନ ଲେପ୍ରୋସି କଲୋନିରେ ରହୁଥିବା ଅନ୍ତେବାସୀମାନଙ୍କୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ବିଭିନ୍ନ ସହାୟକ ଉପକରଣ ବଣ୍ଟନ କରାଯାଇଛି। ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଅଧୀନରେ ସୁନ୍ଦରଗଡ଼ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ପକ୍ଷରୁ ୪ଟି କଲୋନିରେ କ୍ୟାମ୍ପ କରାଯାଇ ୧୨୪ ଜଣ ହିତାଧିକାରୀଙ୍କୁ ଏହା ବଣ୍ଟନ କରାଯାଇଛି।

ଯେଉଁ ବ୍ୟକ୍ତିମାନେ କୁଷ୍ଠ ରୋଗରୁ ସୁସ୍ଥ ହୋଇଥିଲେ ମଧ୍ୟ ଶାରୀରିକ ବିକୃତି ଭୋଗୁଛନ୍ତି ସେମାନଙ୍କ ସୁବିଧା ଲାଗି ଏହି ଆଧୁନିକ ଉପକରଣ ବିଶେଷ ସହାୟକ ହୋଇପାରିବ। ସେମାନଙ୍କୁ ସମାଜରେ ସମ୍ମାନର ସହ ବଞ୍ଚିବା ସହିତ ସେମାନଙ୍କର କାର୍ଯ୍ୟ ଦକ୍ଷତା ମଧ୍ୟ ବୃଦ୍ଧି ହୋଇପାରିବ।

ରାଉରକେଲାର ନୟାବଜାର ଲେପ୍ରୋସି କଲୋନି, ଦୁର୍ଗାପୁର-ଏ, ସେକ୍ଟର-୬ସ୍ଥିତ ଜଗନ୍ନାଥ ଆଶ୍ରମ ଓ ବୁର୍ଲାପାଲି ଲେପ୍ରୋସି କଲୋନିରେ ପୂର୍ବରୁ ଚିହ୍ନଟ ହୋଇଥିବା ହିତାଧିକାରୀମାନଙ୍କୁ ଏହି ଉପକରଣ ଦିଆଯାଇଛି। ୪୨ ଜଣ ହିତାଧିକାରୀଙ୍କୁ ସର୍ଜିକାଲ ଜୋତା ମିଳିଥିବା ବେଳେ ୬୯ ଜଣଙ୍କୁ ଏମସିଆର ଜୋତା, ୧୨ ଜଣଙ୍କୁ ସେଲ୍ଫ କେୟାର କିଟ୍ ଏବଂ ଜଣଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଏହି ଉପକରଣ ବଣ୍ଟନ କରାଯାଇଛି। ଉପକରଣ ବଣ୍ଟନ ବେଳେ ଜିଲ୍ଲା ଲେପ୍ରୋସି ଅଧିକାରୀ ଡାକ୍ତର ଭକ୍ତ ମୋହନ ସ୍ୱାଇଁ, ଜିଲ୍ଲା କୁଷ୍ଠ ରୋଗ ଉପଦେଷ୍ଟା ଅମ୍ଳାନଜ୍ୟୋତି ପଟେଲ, ଓଡ଼ିଶା କୁଷ୍ଠରୋଗ ଆକ୍ରାନ୍ତ ସଂଘର ସଭାପତି ଉମେଶ ନାୟକ ଏବଂ ଜିଲ୍ଲାର ଅନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ।

‘‘କୁଷ୍ଠ ରୋଗରୁ ସୁସ୍ଥ ହୋଇ ଶରୀରିକ ଅକ୍ଷମତା ଭୋଗୁଥିବା ଲୋକମାନଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ଏବଂ ରାଉରକେଲା ମହାନଗର ନିଗମ ପକ୍ଷରୁ ବିଭିନ୍ନ ଉପକରଣ ଦିଆଯାଇଥିବାରୁ ଏହା ସେମାନଙ୍କ ପାଇଁ ବେଶ୍ ଉପାଦେୟ ହେବ। ଏଥିପାଇଁ ହିତାଧିକାରୀମାନଙ୍କ ପକ୍ଷରୁ ମୁଁ ପ୍ରଶାସନକୁ ଧନ୍ୟବାଦ ଜଣାଉଛି’’, କହିଛନ୍ତି ଓଡ଼ିଶା କୁଷ୍ଠରୋଗ ଆକ୍ରାନ୍ତ ସଂଘର ସଭାପତି ଉମେଶ ନାୟକ।

ନୟାବଜାର ଲେପ୍ରୋସି କଲୋନିର ହିତାଧିକାରୀ କିଶୋରୀ ମାଝି କହିଛନ୍ତି ଯେ, ‘‘ଜୋତା ପାଇଁ କିଛି ଦିନ ତଳେ ମୋ’ ଗୋଡ଼ର ମାପ ନିଆ ଯାଇଥିଲା। ସେହି ମାପ ଅନୁସାରେ ଆଜି ମତେ ଜୋତା ମିଳିଥିବାରୁ ମୁଁ ବହୁତ ଖୁସି ଅଛି।’’

କିଛି ମାସ ତଳେ ରାଉରକେଲାର ବିଭିନ୍ନ ଲେପ୍ରୋସି କଲୋନିରେ ସ୍କ୍ରିନିଂ କ୍ୟାମ୍ପ କରାଯାଇ ସୁନ୍ଦରଗଡ଼ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରର (ଏଆରସି) ଅଭିଜ୍ଞ ଫିଜିଓଥେରାପିଷ୍ଟମାନେ ହିତାଧିକାରୀମାନଙ୍କର ପରୀକ୍ଷା କରିବା ସହ ଆବଶ୍ୟକ ମାପ ନେଇଥିଲେ। କାହାର କେଉଁ ପ୍ରକାର କୃତ୍ରିମ ଅଙ୍ଗ ବା ସହାୟକ ଉପକରଣ ଆବଶ୍ୟକ, ତାହା ଅନୁଧ୍ୟାନ କରିଥିଲେ।

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ରହିଛି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର। ସୁନ୍ଦରଗଡ଼ ସମେତ ପଶ୍ଚିମ ଓଡ଼ିଶାର ୭ଟି ଜିଲ୍ଲାର ଭିନ୍ନକ୍ଷମଙ୍କ ସଶକ୍ତିକରଣ ପାଇଁ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏଠାରେ କମ୍ପ୍ୟୁଟର ଆଧାରିତ କୃତ୍ରିମ ଅଙ୍ଗ ପ୍ରସ୍ତୁତି ସହ ଅତ୍ୟାଧୁନିକ ରୋବୋଟିକ୍ ଫିଜିଓଥେରାପି ଚିକିତ୍ସା ଯୋଗାଇ ଦିଆଯାଉଛି। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତା ଯୋଗାଇ ଦେଉଛି।

Leave A Reply

Your email address will not be published.