ସୁନ୍ଦରଗଡ଼ : ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ।। ନଭେମ୍ବର ୧୪ ରୁ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମ।
ସୁନ୍ଦରଗଡ଼, ୧୦ ନଭେମ୍ବର ୨୦୨୨: ସ୍କୁଲ ଛାତ୍ରଛାତ୍ରୀଙ୍କ ଭିତରେ ସର୍ଜନାତ୍ମକ ପ୍ରତିଭାର ବିକାଶ ଲାଗି ସୁନ୍ଦରଗଡ଼ଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟରେ ପ୍ରତିଯୋଗିତା କରାଯାଇଥିଲା। ଜିଲ୍ଲା ସ୍ତରରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନେ ରାଜ୍ୟ ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ।
ସୁନ୍ଦରଗଡ଼ ଜିଲ୍ଲାରେ ଗତ ଅକ୍ଟୋବର ମାସ ୪ ତାରିଖରୁ ‘ସୁରଭି’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପ୍ରଥମେ କ୍ଲଷ୍ଟର ସ୍ତରୀୟ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ସଫଳତା ପାଇଥିବା ଛାତ୍ରଛାତ୍ରୀମାନେ ବ୍ଲକ ସ୍ତରରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ପରେ ବ୍ଲକ ସ୍ତରରୁ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଭାଗ ନେଇଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ଭିତରେ ପ୍ରତିଯୋଗିତା ମନଭାବ ସୃଷ୍ଟି କରିବାରେ ଏଭଳି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ ବୋଲି ଶ୍ରୀ ସାହୁ କହିଥିଲେ।
ଜିଲ୍ଲାସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମରେ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ ଏବଂ କୁଇଜ ଆଦି ୧୭ଟି ବିଷୟରେ ଜୁନିୟର ଏବଂ ସିନିୟର ବର୍ଗରେ ପ୍ରତିଯୋଗତା ହୋଇଥିଲା। ଏଥିରେ ଜିଲ୍ଲାର ସମସ୍ତ ୧୭ଟି ବ୍ଲକର ବିଭିନ୍ନ ସରକାରୀ ସ୍କୁଲରୁ ୪୧୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଦିଲ୍ଲୀରେ ଅନୁଷ୍ଠିତ ଅନ୍ତର୍ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବିଲୁ ତିର୍କୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।
ନଭେମ୍ବର ୧୪ ରୁ ୧୬ ତାରିଖ ଯାଏଁ ଭୁବନେଶ୍ୱରଠାରେ ରାଜ୍ୟ ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ।
ଜିଲ୍ଲାସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ସୁଶ୍ରୀ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖାଖା, ସୁନ୍ଦରଗଡ଼ ସଦର ବିଇଓ ଲଲିମା ଗ୍ଲୋରିଆ ଡୁଙ୍ଗଡୁଙ୍ଗ, ସୁନ୍ଦରଗଡ଼ ‘ଡାଏଟ’ର ଅଧ୍ୟକ୍ଷ ଶିବ ଶଙ୍ଗର ଷଡ଼ଙ୍ଗୀ, ଜାତୀୟ ବୃତ୍ତିଗତ ଭିନ୍ନକ୍ଷମ ପରାମର୍ଶ ସେବା କେନ୍ଦ୍ରର ଆଞ୍ଚଳିକ ନିର୍ଦ୍ଦେଶକ ରାମ କିଶୋର ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।