ରାଉରକେଲା : ବସ୍ତି ବାସିନ୍ଦା ଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କାର୍ଯ୍ୟକ୍ରମ।। ସର୍ବକ୍ଷେଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।
ରାଉରକେଲା; ୧୧ ନଭେମ୍ବର ୨୦୨୨; ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣ ପତ୍ର ପ୍ରଦାନ ନିମନ୍ତେ ଗୁରୁବାର ଡ୍ରୋନ୍ ସର୍ଭେକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ରାଉରକେଲା ସମେତ ଭୁବନେଶ୍ବର, କଟକ, ବ୍ରହ୍ମପୁର ଓ ସମ୍ବଲପୁର ମହାନଗର ନିଗମରେ ଏହି ଡ୍ରୋନ୍ ସର୍ଭେକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ରାଉରକେଲାର ବିଜୁ ଆଦର୍ଶ କଲୋନୀ, ରୁୁପୁଟୋଲାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ରାଉରକେଲାରେ ଏହି ଡ୍ରୋନ୍ ସର୍ଭେକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହା ସହିତ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ ୭୭ ଜନ ବସତିର ମଧ୍ୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବସ୍ତି ଉନ୍ନୟନ ସଂଗଠନର ସଦସ୍ୟା ଶ୍ରୀମତି ସରସ୍ବତି ଲୋହାର ମୁଖ୍ୟମନ୍ତ୍ରୀ ନିକଟରେ ବିଜୁ ଆଦର୍ଶ କଲୋନୀରେ ବସବାସ କରିବାର ଅନୁଭୂତି ସମ୍ପର୍କରେ ବଖାଣିଥିଲେ । ଏହା ସହିତ ସେମାନଙ୍କୁ ଜମି ଅଧିକାର ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଡ୍ରୋନ୍ ସର୍ଭେକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀମତି ଲୋହାର ।
ଜଗା ମିଶନ ଅଧିନରେ ବିଭିନ୍ନ ମୌଳିକ ସୁବିଧା ଯୋଗାଇ ବସ୍ତି ଗୁଡ଼ିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଉଛି । ବସ୍ତି ବାସିନ୍ଦାମାନଙ୍କ ପାଇଁ ରାସ୍ତା, ଡ୍ରେନ୍, ପାଇପ ଯୋଗେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଷ୍ଟ୍ରିଟ ଲାଇଟ୍, ଶୌଚାଳୟ ନିର୍ମାଣ, ପିଲାମାନଙ୍କ ଖେଳିବା ପାଇଁ ସରଞ୍ଜାମ ଓ ଖୋଲା ସ୍ଥାନର ବିକାଶ ଭଳି କାର୍ଯ୍ୟ କରାଯାଉଛି । ଏହା ଦ୍ବାରା ସେମାନଙ୍କ ଜୀବନ ଯାପନରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି । ଏବେ ସେମାନେ ସ୍ବାଭିମାନର ସହ ବଞ୍ଚିପାରୁଥିବା ଶ୍ରୀମତି ଲୋହାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରକାଶ କରିଛନ୍ତି ।
ଆଜିର କାର୍ଯ୍ୟକ୍ରମକୁ ସଫଳତାର ସହ ସମାପନ କରିଥିବାରୁ ରାଉରକେଲା ମହାନଗର ନିଗମ ସମସ୍ତ କର୍ମକର୍ତ୍ତା, ବସ୍ତି ଉନ୍ନୟନ ସଂଗଠନର ସମସ୍ତ ସଦସ୍ୟ, ସଦସ୍ୟାଙ୍କୁ ଧନ୍ୟବାଦ ଜଣାଇଥିଲେ ରାଉରକେଲା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର।
ରାଉରକେଲା ବିଧାୟକ ତଥ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ରଘୁନାଥପାଲ୍ଲି ବିଧାୟକ ସୁବ୍ରତ ତରାଇ,ସୁନ୍ଦରଗଡ଼ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲି, ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ କମିଶନ ଡ. ଶୁଭଙ୍କର ମହାପାତ୍ର, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ, ମହାନଗର ନିଗମର ଉପ ଆୟୁକ୍ତ ସୁଧାଂଶୁ ଭୋଇ, ସୀତା ଦେବୀ ମାଝୀ, ଡ. ଗୌରବମୟ ପ୍ରଧାନ, ରୋନିତ କୁମାର, ସୁକାନ୍ତ କୁମାର ବେଉରା, ଅତିରିକ୍ତ ଆୟୁକ୍ତ ନରେନ୍ଦ୍ର ପ୍ରଧାନ, ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକଙ୍କ ସମେତ ମହାନଗର ନିଗମର ସମସ୍ତ କର୍ମକର୍ତ୍ତା, ରୁପୁଟୋଲା ଓ ଅନ୍ୟ ବସ୍ତି ଉନ୍ନୟନ ସଂଗଠନ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।