କୋଭିଡ ପ୍ରୋଟୋକଲ ଏବଂ ସତର୍କତା ମଧ୍ୟରେ ରାଉରକେଲା ରେ ପାଳିତ ହେବ ପୂଜା ।

0 772

ରାଉରକେଲା ଇସ୍ପାତ ସହରରେ ଦୁର୍ଗା ପୂଜା, କାଳୀ ପୂଜା ଓ ଲଷ୍ମୀ ପୂଜା ଆୟୋଜନକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋଭିଡ୍ ସତର୍କତା ଭିତରେ ପୂଜା ଆୟୋଜନ କରିବା ନେଇ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ସହରର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାଙ୍କ ସହିତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ପୂଜା ଆୟୋଜନକୁ ନେଇ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ଏହି ଗାଇଡଲାଇନକୁ ମାନି ରାଉରକେଲାରେ ପୂଜା ଆୟୋଜନ କରିବାକୁ କମିଶନର ଶ୍ରୀ ପରିଡ଼ା ସମସ୍ତ ପୂଜାମଣ୍ଡପର କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ।

ପୂଜା ଆୟୋଜନ ପାଇଁ ସମସ୍ତ ପୂଜା କମିଟି ପ୍ରଶାସନଠାରୁ ଅନୁମତି ନେବାକୁ ପଡ଼ିବ। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ କିମ୍ବା ତାଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଅଧିକାରୀ ଏହି ଅନୁମତି ଦେଇପାରିବେ। ପୂଜା ବେଳେ ସରକାରଙ୍କ ଗାଇଡଲାଇନ ପାଳନ ଉପରେ ସମସ୍ତ କର୍ମକର୍ତ୍ତା ଧ୍ୟାନ ଦେବେ ବୋଲି ବୈଠକରେ ଆଲୋଚନା ହୋଇଛି।

ସରକାରଙ୍କ ନିୟମ ଅନୁଯାୟୀ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ହେବ ନାହିଁ। ପୂଜା ବେଳେ ପ୍ରତ୍ୟେକ ପେଣ୍ଡାଲର ତିନି ପାର୍ଶ୍ୱ ବନ୍ଦ ରହିବ। ସାମ୍ନା ପଟ ମଧ୍ୟ କପଡା ଦ୍ୱାରା ଆଚ୍ଛାଦିତ ରହିବ। ପୂଜା ସମୟରେ ଯେପରି ୭ ଜଣରୁ ଅଧିକ ବ୍ୟକ୍ତି ମଣ୍ଡପରେ ଉପସ୍ଥିତ ରହିବେ ନାହିଁ ତା’ ଉପରେ ମଧ୍ୟ କର୍ମକର୍ତ୍ତାମାନେ ନଜର ରଖିବେ। ପୂଜା ସମୟରେ ମାଇକ୍ ବାଜି ପାରିବ ନାହିଁ।

ପୂଜା ଶେଷ ହେବା ପରେ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ। ୧୫ ରୁ ୧୭ ତାରିଖ ମଧ୍ୟରେ ମୂର୍ତ୍ତି ବିସର୍ଜନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଯଦି କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନ ନିୟମ ଉଲ୍ଲଂଘନ କରନ୍ତି ତେବେ ଏପିଡେମିକ ଡିଜିଜ ଆକ୍ଟ ୧୮୯୭ ଅନୁଯାୟୀ ତାଙ୍କୁ ଦଣ୍ଡିତ କରାଯିବ।

Leave A Reply

Your email address will not be published.